ମାର୍କେଟ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ରୁ ଅଧିକ ପୋଷାକ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମ

53

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ମାର୍କେଟ୍ ବିଲ୍ଡିଂରେ ଆଜି ଭୋର ପ୍ରାୟ ସାଢ଼େ ୬ଟା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପାଖାପାଖି ୧୫ରୁ ଅଧିକ ପୋଷାକ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ମାର୍କେଟ୍ ବିଲ୍ଡିଂ ଅନ୍ତର୍ଗତ ବିଏମସି ବହୁତଳ ପାର୍କିଂ ସ୍ଥଳ ନିକଟରେ ଥିବା ଦୋକାନଗୁଡ଼ିକରୁ ପ୍ରଥମେ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରେ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ ପୋଷାକ ଦୋକାନଗୁଡ଼ିକରେ ନିଆଁ ଅତି ଦ୍ରୁତ ଗତିରେ ବ୍ୟାପିଥିଲା। ସୂଚନା ପାଇ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ତେବେ ନିଆଁର ପ୍ରକୋପ ଅଧିକ ଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁ ଲିଭାଇବାରେ ବେଶ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଗ୍ନିଶମ ବାହିନୀର କଠିନ ପରିଶ୍ରମ ଓ ଦୀର୍ଘ ସମୟର ଚେଷ୍ଟା ପରେ ଶେଷରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ (ସର୍ଟ ସର୍କିଟ୍ କିମ୍ବା ଅନ୍ୟ କିଛି) ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଏହାର ଅଧିକ ତଦନ୍ତ କରାଯାଉଛି।

Comments are closed, but trackbacks and pingbacks are open.