ତାରାପୀଠର ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୭ ମୃତ, ୧୧ ଆହତ

11

କୋଲକାତା: ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଥିବା ତାରାପୀଠ ନିକଟସ୍ଥ ଗୋଟିଏ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ସାତ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ପ୍ରାୟ ୧୧ ଜଣ ଆହତ ମଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା ବେଳେ ବିଦେଶିନୀ ନାମକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା । ତାରାପୀଠ ବୁଲିବାକୁ ଆସିଥିବା ଅନେକ ଶ୍ରଦ୍ଧାଳୁ ସେହି ହୋଟେଲରେ ବିଶ୍ରାମ ନେଇଥିବା ବେଳେ ଅଘଟଣ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁ ଅନେକ ଶ୍ରଦ୍ଧାଳୁ ହୋଟେଲ ମଧ୍ୟରେ ଫସି ଯାଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ୭ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଅନ୍ୟ ୨୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେଠାରେ ୨ ଜଣଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରି ଦିଆଯାଇଛି। ଏବେ ରାମପୁରହାଟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଗୁରୁତର ଥିବା ୨ ଜଣଙ୍କ ଚିକିତ୍ସା ଚାଲିଛି। ବୀରଭୂମି ଏସ୍‌ପି ବିଦିତ ରାଜ ଭୁନ୍ଦେଶ ଅଗ୍ନିକାଣ୍ଡରେ ହୋଟେଲ ମାଲିକ କଲ୍ୟାଣ ପଲଙ୍କୁ ଗିରଫ କରିଥିବାବେଳେ ହୋଟେଲରେ ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ଅଗ୍ନିଶମ ବିଭାଗର ପ୍ରାଥମିକ ସୂଚନା ଅନୁସାରେ, ଶର୍ଟ ଶର୍କିଟ୍‌ ଯୋଗୁ ନିଆଁ ଲାଗିଥାଇ ପାରେ। ତଥାପି ଏହାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

Comments are closed, but trackbacks and pingbacks are open.