ହୃଦଘାତରେ ପରଲୋକରେ ହଲିଉଡ଼ ଅଭିନେତା ପାଟ୍ରିକ୍ ମୁଲଡୁନ୍

160

ନୂଆଦିଲ୍ଲୀ: ହଲିଉଡ୍ ଜଗତରେ ଶୋକର ଛାୟା। ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ପାଟ୍ରିକ୍ ମୁଲଡୁନ୍‌ଙ୍କର ୫୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗତ ୧୯ ଏପ୍ରିଲରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଲୋକପ୍ରିୟ ଶୋ’ ‘ଡେଜ୍ ଅଫ୍ ଆୱାର୍ ଲାଇଭ୍ସ’ ଏବଂ ଚଳଚ୍ଚିତ୍ର ‘ଷ୍ଟାରସିପ୍ ଟ୍ରୁପର୍ସ’ରେ ନିଜର ଚମତ୍କାର ଅଭିନୟ ପାଇଁ ସେ ସାରା ବିଶ୍ୱରେ ପରିଚିତ ଥିଲେ। କାଲିଫର୍ନିଆର ସାନ ପେଡ୍ରୋରେ ଜନ୍ମିତ ମୁଲଡୁନ୍ USC (ୟୁନିଭରସିଟି ଅଫ୍ ସଦର୍ଣ୍ଣ କାଲିଫର୍ନିଆ)ରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। କଲେଜରେ ପଢୁଥିବା ସମୟରେ ହିଁ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସିଟକମ୍ ‘ହୁ ଇଜ୍ ଦି ବସ୍?’ର ଦୁଇଟି ଏପିସୋଡ୍‌ରେ ସୁଯୋଗ ପାଇ ସେ ପରଦାକୁ ଆସିଥିଲେ। ‘ଡେଜ୍ ଅଫ୍ ଆୱାର୍ ଲାଇଭ୍ସ’ରେ ‘ଅଷ୍ଟିନ୍ ରିଡ୍’ ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ୧୯୯୨ରୁ ୧୯୯୫ ଏବଂ ପରେ ୨୦୧୧ରୁ ୨୦୧୨ ପର୍ଯ୍ୟନ୍ତ ସେ ଏହି ଭୂମିକାରେ ଅଭିନୟ କରିଥିଲେ। ‘ମେଲରୋଜ୍ ପ୍ଲେସ’ରେ ସେ ଏକ ନକାରାତ୍ମକ ବା ଖଳନାୟକ ଭୂମିକାରେ ନଜର ଆସିଥିଲେ। ଏହା ବ୍ୟତୀତ ୯୦ ଦଶକ ଏବଂ ୨୦୦୦ ଦଶକର ପ୍ରାରମ୍ଭରେ ଅନେକ ଟିଭି ଚଳଚ୍ଚିତ୍ରରେ ସେ କାର୍ଯ୍ୟ କରିଥିଲେ। ୧୯୯୭ରେ ରିଲିଜ୍ ହୋଇଥିବା ‘ଷ୍ଟାରସିପ୍ ଟ୍ରୁପର୍ସ’ ତାଙ୍କ କ୍ୟାରିଅର୍‌ର ଅନ୍ୟତମ ବଡ଼ ସଫଳତା ଥିଲା।

Comments are closed, but trackbacks and pingbacks are open.