କିଟରେ ହକି ବିଶ୍ୱକପ୍‍ ଟ୍ରଫି

26

ଅଲିମ୍ପିଆନ୍‍ଙ୍କ ସମେତ ୧୫ହଜାର କ୍ରୀଡ଼ାବିତ୍‍ଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
ଭୁବନେଶ୍ୱର,୨୫ ।୧୨: ପୁରୁଷ ବିଶ୍ୱକପ୍‍ ହକି ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‍ ପରିସରରେ ପହଞ୍ଚିଥିଲା। କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ଟ୍ରଫିକୁ କିଟ୍‍ ଷ୍ଟାଡିଅମ୍‍ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଇଯାଇଥିଲେ। ସେଠାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଟ୍ରଫି ଗ୍ରହଣ କରିଥିଲେ। ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, କ୍ରମାଗତ ଭାବେ ଓଡ଼ିଶାକୁ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‍ ହକି ଆୟୋଜନ କରିବାକୁ ସୁଯୋଗ ଦିଆଯାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।

ଏବେ ଆମକୁ ଓଡ଼ିଶା ହକିର ବିଶ୍ୱ ହବ୍‍ ଭାବେ ଦେଖାଇଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କିଟରେ ଆୟୋଜିତ ଟ୍ରଫି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ସମେତ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ବିଏମ୍‍ସି କମିଶନର ବିଜୟ କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ। ଅଲିମ୍ପିଆନ୍‍, ଦୂତି ଚାନ୍ଦ, ସିଏ ଭବାନୀ ଦେବୀ, ଶିବପାଲ ସିଂହ ଏବଂ ଆଥଲେଟ୍‍ ଅମିୟ ମଲ୍ଲିକ ଓ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେବାକୁ ଆସିଥିବା ୧୫ହଜାର କ୍ରୀଡ଼ାବିତ, କୋଚ ଓ ଅଫିସିଆଲ୍‍ଙ୍କ ଉପସ୍ଥିତିରେ ହକି ବିଶ୍ୱକପ୍‍ ଟ୍ରଫି କିଟରେ ସମ୍ବର୍ଦ୍ଧନା ଦିଆଯିବା କିଟ୍‍ ଓ କିସ୍‍ ପାଇଁ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ପ୍ରତି ରହିଥିବା ଅହେତୁକ ସ୍ନେହ ଓ ଶ୍ରଦ୍ଧା ପାଇଁ ଆଜି ଓଡ଼ିଶା ଦୁଇ ଦୁଇ ଥର ହକି ବିଶ୍ୱକପ୍‍ ଆୟୋଜନ କରିବାରେ ସମର୍ଥ ହୋଇପାରିବା ସହ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇ ପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ଅବସରରେ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆତସବାଜୀ ପ୍ରଦର୍ଶନ କରାଯାଇଥିଲା। ଆତସବାଜୀ ପ୍ରଦର୍ଶନ ପରିବେଶକୁ ହକିମୟ କରିଦେଇଥିଲା।

Comments are closed, but trackbacks and pingbacks are open.