ହକି ବିଶ୍ୱକପ୍‌ : ଭୁବନେଶ୍ୱରରେ ପୋଲିସ ସମୀକ୍ଷା ବୈଠକ, ନିୟୋଜିତ ହେବେ ୫୦ ପ୍ଲାଟୁନ୍‌ ଫୋର୍ସ

22

ଭୁବନେଶ୍ୱର : ହକି ବିଶ୍ୱକପ୍‌-୨୦୨୩ ପାଇଁ ରାଜ୍ୟରେ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ହକି ବିଶ୍ୱକପ୍‌ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୁଲିସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ବୈଠକରେ ଡିସିପି ପ୍ରତୀକ ସିଂ କହିଛନ୍ତି, ଭୁବନେଶ୍ୱରରେ ୫୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ କରାଯିବ। କେବଳ ବିମାନବନ୍ଦରରେ ମୁତୟନ ହେବେ ଦୁଇ ପ୍ଲାଟୁନ୍ ଫୋର୍ସ। ଏଥିସହ ଖେଳାଳିମାନେ ରହୁଥିବା ହୋଟେଲରେ ମଧ୍ୟ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ପୁଲିସ ପକ୍ଷରୁ ହେଲ୍ପଡେସ୍କ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସେ କହିଛନ୍ତି, ଆସନ୍ତା ୪ ତାରିଖରୁ ଖେଳାଳି, କୋଚ୍ ଓ ଟେକନିକାଲ ଷ୍ଟାଫ୍ ଭୁବନେଶ୍ୱରରେ ପହଞ୍ଚିବେ। ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନେ କିପରି ସହଜରେ ହୋଟେଲ ଓ ଷ୍ଟାଡିୟମରେ ପହଞ୍ଚି ପାରିବେ ଓ ସେମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।

ସେହିପରି କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ପାଇଁ ବୁଧବାର ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ପେଟିଏମ୍‌ ଇନ୍‌ସାଇଡର ୱେବ୍‌ସାଇଟ୍‌ରେ ଟିକେଟ୍‌ ମିଳୁଥିବା ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଉଦ୍‌ଘାଟନୀ ଉତ୍ସବ ନିମନ୍ତେ କଟକ ସହରକୁ ସୁସଜ୍ଜିତ କରାଯାଉଛି। ଚିତ୍ରଶିଳ୍ପୀମାନେ ସହରର କାନ୍ଥ, ବାଡରେ ବିଭିନ୍ନ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି।

ରେଭେନ୍‌ସା ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ବାଲିଯାତ୍ରା ପଡିଆ,ବାରବାଟୀ ଷ୍ଟାଡିୟମ୍‌ ଆଦି ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହାବ୍ୟତୀତ ସହରକୁ ସଂଯୋଗ କରୁଥିବା ନଦୀବନ୍ଧ ବାଡ଼, ଫ୍ଲାଏଓଭର କାନ୍ଥଗୁଡ଼ିକରେ ହକି ଓ ସହରର ସଂସ୍କୃତି ଉପରେ ଆଧାରିତ ବିଷୟବସ୍ତୁକୁ ନେଇ ଚିତ୍ର କରାଯାଉଛି। ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ର ସିନେତାରକା ରଣବୀର ସିଂ ଓ ଦିଶା ପଟାନୀ ମୁଖ୍ୟ ଆକର୍ଷଣ ହେବେ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.