ଭୁବନେଶ୍ବର: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ପୀଡ଼ିତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଦାଲତ ତାଙ୍କୁ ଗର୍ଭପାତ ଏବଂ ଭ୍ରୂଣର ଡିଏନଏ (DNA) ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପୀଡ଼ିତା ଜଣକ ୨୦୨୬ ଜାନୁଆରୀ ୧୨ ତାରିଖରେ ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଏଥିରେ ସେ ଦର୍ଶାଇଥିଲେ ଯେ, ତାଙ୍କର ଏହି ଗର୍ଭଧାରଣ ଅନିଚ୍ଛାକୃତ ଏବଂ ଏହା ଏକ ଦୁଷ୍କର୍ମ ମାମଲା ସହ ଜଡ଼ିତ। ତେଣୁ ଗର୍ଭପାତ ପାଇଁ ଅନୁମତି ଦିଆଯାଉ । ପୂର୍ବରୁ ସେ ରାଉରକେଲା ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ, ଯାହାକୁ ‘ଜିରୋ ଏଫଆଇଆର’ ଭାବେ ରୁଜୁ କରାଯାଇ ପରେ ବିଞ୍ଝାରପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା। ବିଚାରପତି ଜଷ୍ଟିସ ସାବିତ୍ରୀ ରଥଙ୍କ ଇଜିଲାସରେ ଏହି ମାମଲାର ଶୁଣାଣି ଚାଲିଥିଲା। ଶୁଣାଣି ସମୟରେ କୋର୍ଟଙ୍କ ନଜରକୁ ଆସିଥିଲା ଯେ, ପୀଡ଼ିତାଙ୍କ ଗର୍ଭାବସ୍ଥା ବର୍ତ୍ତମାନ ପ୍ରାୟ ୨୧ ସପ୍ତାହ ୪ ଦିନରେ ପହଞ୍ଚିଛି। ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି (MTP) ଆକ୍ଟ ଅନୁଯାୟୀ, ଗର୍ଭପାତ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୨୦୨୫ରେ ଜାରି କରାଯାଇଥିବା ସ୍ୱତନ୍ତ୍ର ଏସଓପି (SOP) ଆଧାରରେ ନାବାଳିକା ଏବଂ ଜଟିଳ ପରିସ୍ଥିତିରେ ଗର୍ଭପାତ ପାଇଁ ବ୍ୟବସ୍ଥା ରହିଛି। ପୀଡିତାଙ୍କ ଆବେଦନକୁ ଗ୍ରହଣ କରି ଅଦାଲତ ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ଅନୁମତି ଦେବା ସହ ଭ୍ରୁଣର ନମୁନା ସଂଗ୍ରହ କରି ତାହାର ଡିଏନଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅଭିଯୁକ୍ତ ବିରୋଧରେ ପ୍ରମାଣ ଭାବେ ବ୍ୟବହୃତ ହେବ। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ କୋର୍ଟ କହିଛନ୍ତି। ଏ ନେଇ ଆବେଦନାକାରୀ ଓକିଲ ସୁଶାନ୍ତ ଶେଖର ପରିଡା କହିଛନ୍ତି, ପୀଡିତା ଗର୍ଭପାତ ପାଇଁ ପ୍ରଥମେ ଏସଡିଜେଏମରେ ଆବେଦନ କରି ଗର୍ଭପାତ ପାଇଁ ଅନୁମତି କରିଥିଲେ ଯାହା ଖାରଜ ହୋଇ ଯାଇଥିଲା । ପରେ ସେ ଯାଜପୁର ଡିଷ୍ଟିକ କୋର୍ଟରେ ଆବେଦନ କରିଥିଲେ । ସେଠାରେ ମଧ୍ୟ ଖାରଜ ହୋଇ ଯାଇଥିଲା । ଏହା ପରେ ପୀଡିତା ହାଇକୋର୍ଟର ହ୍ୱାରସ୍ଥ ହୋଇଥିଲେ । ଏହାର ଆଜି ଶୁଣାଣି କରି ମାନ୍ୟବର କୋର୍ଟ ଏପରି ରାୟ ଦେଇଛନ୍ତି ।
Comments are closed, but trackbacks and pingbacks are open.