ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

937

ଭୁବନେଶ୍ବର: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ପର୍କିତ ଏକ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ଖୋର୍ଦ୍ଧା ଜିଲା ଜଟଣୀ ତହସିଲ କନ୍ତିଆ ମୌଜାର ବହୁମୂଲ୍ୟ ୧୫ ଏକର ଜମିକୁ ନେଇ ନିର୍ଦ୍ଦିଷ୍ଟ ଏକ ସଂସ୍ଥା ପକ୍ଷରୁ ଦାୟର ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରିଭ୍ୟୁ ପିଟିଶନ ଦାଖଲ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ବଳିଷ୍ଠ ଯୁକ୍ତି ବାଢ଼ିଥିବା ବେଳେ ନିଜେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ଅଦାଲତରେ ହାଜର ହୋଇ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସ୍ବାର୍ଥ ରକ୍ଷା ପାଇଁ ପକ୍ଷ ରଖିଥିଲେ। ଆଡ୍‌ଭୋକୋଟ୍‌ ଆନନ୍ଦ ଚନ୍ଦ୍ର ସ୍ବାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମାମଲାର ପରିଚାଳନା କରୁଥିଲେ। କୌଣସି ନ୍ୟସ୍ତସ୍ବାର୍ଥ ଯୁକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଭୂସମ୍ପତ୍ତିଗୁଡ଼ିକର କମ୍ପ୍ୟୁଟରୀକରଣ ସହ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତି (Uniform Policy) ଓ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ସମସ୍ତ ଜମିର ସୁରକ୍ଷା କରାଯିବ। ଏହି ମାମଲାରେ ମାନ୍ୟବର କୋର୍ଟ ଦେଇଥିବା ନିର୍ଦ୍ଦେଶ ଆଗାମୀ ଦିନରେ ଶ୍ରୀମନ୍ଦିରର ଭୂସମ୍ପତ୍ତି ପରିଚାଳନା କ୍ଷେତ୍ରରେ ଏକ ମାର୍ଗଦର୍ଶକ ସାଜିବ ଏବଂ ଏହାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବଦ୍ଧପରିକର ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Comments are closed, but trackbacks and pingbacks are open.