ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ

212

କଟକ: ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ, କାରଣ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର କର୍ମଚାରୀଙ୍କ କାମ ରାଜ୍ୟ ସଚିବାଳୟ କର୍ମଚାରୀଙ୍କଠାରୁ କିଛି କମ୍‌ ନୁହେଁ। ଓପିଏସ୍‌ସି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରିଥାଏ। ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ ସରକାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥାଏ। ଏହି ପରିପ୍ରେକ୍ଷୀରେ ଓପିଏସ୍‌ସି କର୍ମଚାରୀଙ୍କ କ୍ୟାଡର୍‌ ସଚିବାଳୟ କର୍ମଚାରୀଙ୍କ କ୍ୟାଡର ସହ ସମାନ ହେବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ରାଜ୍ୟ ସରକାର ଓପିଏସ୍‌ସି କର୍ମଚାରୀଙ୍କ କ୍ୟାଡର୍‌ ପୁନର୍ଗଠନ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଆଲୋକ ଚନ୍ଦ୍ର ମିଶ୍ର ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରାଧାକୃଷ୍ଣ ପଟ୍ଟନାୟକ ଏହି ରାୟ ଦେଇଛନ୍ତି। ଆବେଦନକାରୀମାନେ ପିଟିସନ୍‌ରେ ଜଣାଇଥିଲେ ଯେ, ରାଜ୍ୟ ସଚିବାଳୟ ସମେତ ରାଜ୍ୟପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ହାଇକୋର୍ଟ କର୍ମଚାରୀଙ୍କ କ୍ୟାଡର ସମାନ କରାଯାଇଛି। ଜୁନିୟର୍‌ ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟଙ୍କୁ କ୍ୟାଡର ପୁନର୍ଗଠନ କରାଯାଇ ଏଏସ୍‌ଓ ମାନ୍ୟତା ଦିଆଯାଇଛି। ହେଲେ ଓପିଏସ୍‌ସି କର୍ମଚାରୀଙ୍କୁ ଏହି ମାନ୍ୟତା ଦିଆଯାଇନାହିଁ। ଓପିଏସ୍‌ସି ଏକ ସ୍ୱାଧୀନ ସଂସ୍ଥା ହୋଇଥିବାରୁ ଏହାର କର୍ମଚାରୀଙ୍କୁ ସଚିବାଳୟ କ୍ୟାଡର୍‌ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ମତ ଦେଇଥିଲେ। ଫଳରେ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଓପିଏସ୍‌ସି କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ସଂକ୍ରାନ୍ତରେ ତୁରନ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed, but trackbacks and pingbacks are open.