ପୁଣି ଶ୍ରୀମନ୍ଦିର ଭିତରୁ ଜବତ ହେଲା ହିଡେନ କ୍ୟାମେରା,ଗୁଜୁରାଟି ଯୁବକ ଗିରଫ

103

ପୁରୀ : ଶ୍ରୀମନ୍ଦିର ସୁରକ୍ଷାରେ ଚରମ ଅବହେଳା I ପୁଣି ଶ୍ରୀମନ୍ଦିର ଭିତରୁ ଜବତ ହେଲା ହିଡେନ କ୍ୟାମେରା । ହିଡେନ କ୍ୟାମେରା ଜବତ କରିବା ସହ ଜଣେ ଗୁଜୁରାଟି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ସିଂହଦ୍ୱାର ଥାନା ପୋଲିସ । ଅଟକ ଥିବା ବ୍ୟକ୍ତି ଜଣକ ହେଲେ ଗୁଜରାଟର ବିପୁଲ୍ ପଟେଲ । ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ବିପୁଲ୍। ତେବେ ଅଟକ ଥିବା ବ୍ୟକ୍ତି ଙ୍କୁ ଟାଉନ ଥାନାକୁ ନିଆଯାଇ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି। ଗିରଫ ବ୍ୟକ୍ତି ପୁରୀର ଏକ ହୋଟେଲରେ ଅବସ୍ଥାନ କରିବା ସହ ହୋଟେଲରେ ଥିବା ମୋବାଇଲ ଫୋନ୍ ଦ୍ଵାରା ହିଡେନ କ୍ୟାମେରା ଅପରେଟ କରିଥିଲେ । ସେ ଅଗଷ୍ଟ ୩ ତାରିଖରୁ ଉକ୍ତ ହୋଟେଲରେ ରହୁଛନ୍ତି । ଆଜି ସିଂହଦ୍ଵାର ଥାନା ସବ ଇନ୍ସପେକ୍ଟର ଓ ଜେଟିପି ପୋଲିସ ତାଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ସିଂହଦ୍ଵାର ଥାନା ପୋଲିସର ଜିମା ଦେଇଥିଲେ । ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ସିଂହଦ୍ଵାର ଥାନା ପୋଲିସ ସୂଚନା ଦେଇଛି ।

ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କେଉଁ ସେବକ ଯାଇଥିଲେ ନା ସେ ଏକୁଟିଆ ଏଭଳି କାର୍ଯ୍ୟ କରିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି। ତେବେ ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ ଫଟୋ ଓ ଭିଡିଓ ସ୍ପାଏ କ୍ୟାମେରାରେ ସମ୍ପୃକ୍ତ ବ୍ୟକ୍ତିଜଣକ କଏଦ କରିଥିବା ସନ୍ଦେହ କରାଯାଉଛି।

ସେପଟେ ଗତ ୨୯ ତାରିଖରେ ପୁରୀ ଗଜପତି ନଗରର ଜଣେ ଯୁବକ ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। କିନ୍ତୁ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିବା ସହିତ କ୍ୟାମେରାରେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ ହୋଇନଥିବା ଜଣାପଡିଥିଲା। ପରେ ସମ୍ପୃକ୍ତ ଯୁବକକୁ ପୋଲିସ ତାଗିଦ୍ କରି ଛାଡି ଦେଇଥିଲା।

Comments are closed, but trackbacks and pingbacks are open.