ପୁଣି ଥରେ ସିନେମାକୁ ଫେରିବାକୁ ଚାହାନ୍ତି ହେମାମାଳିନୀ

29

ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ଜବରଦସ୍ତ ହିଟ୍‌ ହେବା ପ‌ରେ ଏବେ ପୁଣି ଥରେ ସିନେମାକୁ ଫେରିବାକୁ ଚାହାନ୍ତି ପତ୍ନୀ ହେମାମାଳିନୀ। ସେ ଶେଷ ଥର ପାଇଁ ୨୦୨୦ ମସିହାରେ ‘ସିମ୍‌ଲା ମିର୍ଚି’ରେ ନଜର ଆସିଥିଲେ। ଏବେ ଅଭିନେତ୍ରୀ ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିବାକୁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି।

ଏକ ଗଣମାଧ୍ୟମ ସଂସ୍ଥାରେ ସାକ୍ଷାତ୍‌କାର ଦେଉଥିବା ବେଳେ ହେମା ଫିଲ୍ମ କରିବାକୁ ନେଇ ନିଜର ଇଛା ପ୍ରକାଶ କରି ‘ମୁଁ ଫିଲ୍ମ କରିବାକୁ ଚାହେଁ’ ବୋଲି କହିଛନ୍ତି। ଯଦି ତାଙ୍କୁ କୌଣସି ଭଲ ରୋଲ୍‌ ମିଳେ ତ ସେ ନିଶ୍ଚୟ ସିନେମା କରିବେ। ସେ ଚାହାନ୍ତି କି ପ୍ରଯୋଜକ ଆସିକି ତାଙ୍କୁ ସିନେମା ପାଇଁ ସ୍ବାକ୍ଷର କରାନ୍ତୁ।

ହେମା, ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ସହ ଅନେକ ସିନେମା କରିଛନ୍ତି। ଆଗାମୀ ଅକ୍ଟୋବର ମାସରେ ‘ବାଗ୍‌ବାନ୍‌’ ଫିଲ୍ମକୁ ୨୦ ବର୍ଷ ହୋଇଯିବ। ହେମା ବିଗ୍‌ ବିଙ୍କ ସହ ଆହୁରି ବି ସିନେମା କରିବାକୁ ଚାହାନ୍ତି। ଥରେ ସେ ଏକ ସାକ୍ଷାତ୍‌କାରରେ କହିଥିଲେ, ‘‘କାସ୍‌ ଅମିତାଭଙ୍କ ସହ ‘ବାଗ୍‌ବାନ୍‌’ ପରେ ଆଉ ଫିଲ୍ମ କରିବାର ସୁଯୋଗ ମିଳିଥାନ୍ତା। ହେଲେ ଦୁର୍ଭାଗ୍ୟର କଥା ଏପରି ହୋଇପାରିଲା ନାହିଁ।’’

ଉଭୟ ଅମିତାଭ ଓ ହେମା ପରସ୍ପରଙ୍କ ସହ କାମ କରିବାକୁ ଭଲପାଆନ୍ତି ବୋଲି ପୂର୍ବରୁ ଦୁହେଁ କହି ସାରିଛନ୍ତି। ‘ବାଗ୍‌ବାନ୍‌’କୁ ଛାଡ଼ିବା ପରେ ସେ ଦୁହେଁ ‘ବୀର ଜାରା’, ‘ବାବୁଲ୍‌’, ‘ବୁଢ଼ା ହୋଗା ତେରା ବାପ୍‌’ ସମେତ ଅନେକ ହିନ୍ଦି ସିନେମାରେ ନଜର ଆସିଛନ୍ତି। ଦେଖାଯାଉ ହେମାଙ୍କ ଇଚ୍ଛା ପରେ କେଉଁ ନିର୍ମାତା ପୁଣି ଥରେ ବିଗ୍‌ ବି ଓ ହେମାଙ୍କୁ ଏକାସାଥୀରେ ପରଦାକୁ ଆଣିବାକୁ ଚେଷ୍ଟା କରୁଛନ୍ତି କି ନାହିଁ।

Comments are closed, but trackbacks and pingbacks are open.