ପୁରୀରେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ହେମା ମାଳିନୀ

71

ଭୁବନେଶ୍ବର: ଓଡ଼ିଶାରେ ଡ୍ରିମଗାର୍ଲ । ଗତ କାଲି ଭୁବନେଶ୍ବରରେ ଭାରତନାଟ୍ୟମ୍ ନୃତ୍ୟ କରି ଦର୍ଶକଙ୍କୁ ବିମୋହିତ କରିବା ପରେ ପୁରୀରେ ପହଞ୍ଚି ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଛନ୍ତି । ଆଜି ସକାଳେ ପୁରୀରେ ପହଞ୍ଚିଛନ୍ତି ବଲିଉଡ୍ ଡ୍ରିମ ଗାର୍ଲ ହେମାମାଳିନୀ । ପବିତ୍ର ହୋଲି ଅବସରରେ ସେ  ଶ୍ରୀମନ୍ଦିର ଯାଇ ରତ୍ନସିହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଛନ୍ତି । ଏଥିସହ ସେ ମନ୍ଦିର ଯାଇ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ପବିତ୍ର ହୋଲିରେ ମଥୁରାରୁ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଡ୍ରିମ ଗାର୍ଲ ।  ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେବାୟତଙ୍କ ପକ୍ଷରୁ ଖଣ୍ଡୁଆ ପ୍ରଦାନ କରି ତାଙ୍କୁ ସ୍ୱାଗତ କରାଯାଇଥିଲା । କାଳିଆ ସାଆନ୍ତଙ୍କୁ ଦର୍ଶନ କରି ସେ ବେଶ୍ ଖୁସି ଥିବା କହିଛନ୍ତି । ଏଥିସହ ସେ ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ଡ୍ରିମ୍ ଗାର୍ଲଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ନିକଟରେ ବେଶ୍ ଭିଡ ଲାଗିଥିଲା । ସେ ମଧ୍ୟ ହାତ ହଲାଇ ସମସ୍ତଙ୍କୁ ହୋଲିର ଶୁଭେଛା ଜଣାଇଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ବାସଭବନରେ ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗଦେବେ ଡ୍ରିମ ଗାର୍ଲ । ଅନ୍ୟପଟେ ଗତକାଲି ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ନୃତ୍ୟଶିଳ୍ପୀ ହେମା ମାଳିନୀ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ । ସର୍ବପ୍ରଥମେ “ପୁଷ୍ପାଞ୍ଜଳି”, “ଗଣେଶ ଆରାଧନା”,”ଲକ୍ଷ୍ମୀ ସ୍ତୁତି”ରେ ନୃତ୍ୟ ଆରମ୍ଭ କରିଥିଲେ ନୃତ୍ୟଶିଳ୍ପୀ ହେମାମାଳିନୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆଜି ବଡ଼ଦାଣ୍ଡ ଭିଡ଼ ଭାରି, ଗୁଣ୍ଡିଚା ଯାତରା କରି” ଭଜନରେ ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ଏଥିସହ ଜୟଦେବଙ୍କ “ଗୀତଗୋବିନ୍ଦ” ଉପରେ ଆଧାରିତ ହେମାଙ୍କ ନୃତ୍ୟ ସନ୍ଧ୍ୟା ସମୟର ବିଶେଷ ଆକର୍ଷଣ ରହିଥିଲା। ହେମାମାଳିନୀଙ୍କ ସହିତ ନାଟ୍ୟବିହାର କଳାକେନ୍ଦ୍ରର ନୃତ୍ୟଶିଳ୍ପୀମାନେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ । ବୃନ୍ଦାବନ ଗୁରୁକୁଳର ଶିଷ୍ୟମାନଙ୍କ ବଂଶୀ ଓ ତବଲା ବାଦନ ମଧ୍ୟ ବେଶ ହୃଦୟସ୍ପର୍ଶୀ ହୋଇପାରିଥିଲା। ଏହି କାର୍ଯ୍ୟକ୍ରମରେ ଦର୍ଶକମାନଙ୍କ ମଧ୍ୟରେ ରହିଥିବା ଉତ୍ସାହ ଦେଖି ବେଶ ଆନନ୍ଦିତ ହୋଇଥିଲେ ହେମାମାଳିନୀ । ପୁରୀର ସାଂସଦ ଶ୍ରୀ ସମ୍ବିତ ପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ହେମାମାଳିନୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନୃତ୍ୟଶିଳ୍ପୀ ହେମାମାଳିନୀ ରଙ୍ଗର ପର୍ବ ହୋଲି ଉପଲକ୍ଷେ ଉପସ୍ଥିତ ଅତିଥି ଓ ଦର୍ଶକମାନଙ୍କ ସହ ରଙ୍ଗ ଖେଳିଥିଲେ ଓ ଓଡ଼ିଶାରେ ମିଳିଥିବା ଆତିଥ୍ୟ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.