୯ରେ ପ୍ରବଳ ବର୍ଷା, ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

31

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ୯ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ୧୦ତାରିଖରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଲ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ସେଥିଲାଗି ଏହି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ତାରିଖରେ ଗଞ୍ଜାମ, ଗଜପତି, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ,କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡା, ଅନୁଗୁଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ମଧ୍ୟ କରାଯାଇଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଅକ୍ଟୋବର ୧ରୁ ୭ ତାରିଖ ମଧ୍ୟରେ ରାଜ୍ୟରେ ପ୍ରାୟ ୭୦ ମିଲିମିଟର ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୪୦ମିମି ବର୍ଷା ହେବା କଥା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବରୁ ସ୍ୱାଭାବିକଠାରୁ ଅଧିକ ବର୍ଷିଛି । ତେବେ ଭଦ୍ରକରେ ସର୍ବାଧିକ ୨୦୯% ଅଧିକ ବର୍ଷା ହୋଇଛି । ପୁରୀରେ ୨୦୭%, କଟକରେ ୧୯୪%, ଗଞ୍ଜାମରେ ୧୬୭%, ବାଲେଶ୍ୱରରେ ୧୬୪%, ଦେବଗଡ଼ରେ ୧୪୯%, କେନ୍ଦ୍ରାପଡ଼ାରେ ୧୫୩%, ଜଗତସିଂହପୁରରେ ୧୩୬%, ମୟୂରଭଞ୍ଜରେ ୧୩୦%, ସମ୍ବଲପୁରରେ ୧୦୪% ଅଧିକ ବର୍ଷା ହୋଇଛି । ନୂଆପଡ଼ାରେ ଅକ୍ଟୋବର ପ୍ରଥମ ସପ୍ତାହରେ ସ୍ୱାଭାବିକଠାରୁ ସବୁଠୁ କମ୍ ବର୍ଷା ହୋଇଛି । ଏଠାରେ ୬୦% କମ୍ ବର୍ଷା ହୋଇଛି । ନବରଙ୍ଗପୁରରେ ୫୫%, ମାଲକାନଗିରିରେ ୪୧% ଓ କଳାହାଣ୍ଡିରେ ୩୩% କମ୍ ବର୍ଷିଛି । କୋରାପୁଟ ଓ ବଲାଙ୍ଗୀରରେ ସ୍ୱାଭାବିକ ବର୍ଷା ହୋଇଛି।

Comments are closed, but trackbacks and pingbacks are open.