ଭୂସ୍ଖଳନ ଓ ବାଦଲଫଟା ବର୍ଷାରେ ପ୍ରକୃତି ସାଜିଲା କାଳ

157

ନୂଆଦିଲ୍ଲୀ: ଉତ୍ତର-ପୂର୍ବରେ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୪୮ ଘଣ୍ଟାର ଲଗାଣ ବର୍ଷା ପରେ ଅନେକ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ତ ପୁଣି କେଉଁଠି ବନ୍ୟା ଜଳର ପ୍ରବଳ ସ୍ରୋତରେ ଭାସୁଛି ଘରଦ୍ୱାର। ବିଭିନ୍ନ ରାଜ୍ୟରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ସେପଟେ ଲକ୍ଷାଧିକ ପ୍ରଭାବିତ ଓ ବାସହରାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉଛି। ସିକିମ,ଅରୁଣାଚଳ ପ୍ରଦେଶ, ଆସାମ ସମେତ ମଣିପୁରର ଅନେକ ଅଞ୍ଚଳର ଅବସ୍ଥା ଖରାପ ହୋଇପଡିଛି । ଏହି ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୩୬ ଜଣ ଲୋକଙ୍କ ଜୀବନ ଯାଇଛି। ଆସାମର ୨୨ଟି ଜିଲ୍ଲାରେ ବନ୍ୟା ଯୋଗୁଁ ୫.୩୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୧୫ଟି ନଦୀରେ ବନ୍ୟା ଆସିଛି। ସିକିମର ଛାଟେନରେ ଏକ ସେନା ଶିବିରରେ ଭୂସ୍ଖଳନ ହେବାରୁ ତିନି ଜଣ ସେନାଙ୍କ ମୃତ୍ୟୁ ଘଟିଛି ଏବଂ ଛଅ ଜଣ ନିଖୋଜ ଅଛନ୍ତି ବୋଲି ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଗୋଟିଏ ଲଖିମପୁର ଜିଲ୍ଲା ଗସ୍ତ କରିଥିଲେ ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ପ୍ରତିଶ୍ରୁତି ଦେଇଥିଲେ।

Comments are closed, but trackbacks and pingbacks are open.