ଆସନ୍ତାକାଲିଠୁ ପ୍ରବଳ ବର୍ଷା

169

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ସାଙ୍ଗକୁ ସକ୍ରିୟ ରହିଛି ମୌସୁମୀ ବାୟୁ। ଏହାର ପ୍ରଭାବରେ ଆସନ୍ତାକାଲିଠୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି। ତେବେ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ସୁନ୍ଦରଗଡ଼,ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜରେ ରହିବ ବର୍ଷାର ପ୍ରଭାବ। ୬ ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୪ ତାରିଖ ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ୧୮ ତାରିଖକୁ ବଦଳିବ ପାଗ। ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୩୪ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏବେବି ୯ ପ୍ରତିଶତ ନିଅଁଟିଆ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ଓ ବାକି ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଜଣାପଡିଛି।

Comments are closed, but trackbacks and pingbacks are open.