ଭୁବନେଶ୍ବର: ଶିକ୍ଷାୟତନରେ ଶିକ୍ଷକଙ୍କ ଅମାନୁଷିକ କାଣ୍ଡ। ଛାତ୍ରଙ୍କୁ ଶୃଙ୍ଖଳିତ କରିବା ନାଁରେ ପ୍ୟାଣ୍ଟରେ ବିଛୁଆତି ପୁରାଇ ନିର୍ଯାତନା ଦେବା ମାମଲାରେ ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୁକ୍ତ ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (BEO)। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି କ୍ଲଷ୍ଟର ଅନ୍ତର୍ଗତ ସାରୁଆବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୭ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀ କୌଣସି କାରଣରୁ କୋମଳମତି ଛାତ୍ରଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପତ୍ର ପୁରାଇ ଦେଇଥିଲେ। ବିଛୁଆତିର ପ୍ରଭାବରେ ପିଲାମାନେ ଅସହ୍ୟ ଯନ୍ତ୍ରଣା ପାଇ ଛଟପଟ ହୋଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପିଲାଙ୍କ ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇ ସ୍କୁଲରେ ପହଞ୍ଚି ହୋହଲ୍ଲା କରିବା ସହ କାଳିଆପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସ୍ଥାନୀୟ ସରପଞ୍ଚ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ହସ୍ତକ୍ଷେପ ପରେ ପ୍ରଧାନଶିକ୍ଷକ ନିଜ ଦୋଷ ସ୍ୱୀକାର କରିବା ସହ ଏଭଳି ଭୁଲର ପୁନରାବୃତ୍ତି କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।
Comments are closed, but trackbacks and pingbacks are open.