ତୀରବିଦ୍ଧ ହୋଇଆସିଥିଲେ: ନୂଆ ଜୀବନ ଦେଲେ କିମ୍ସ ଡାକ୍ତର
ଭୁବନେଶ୍ୱର, ୮ ।୭: ଛାତିରେ ତୀରବିଦ୍ଧ ଅବସ୍ଥାରେ ଅସିଥିବା ଜଣେ ବ୍ୟକ୍ତି କିମ୍ସ ଭୁବନେଶ୍ୱର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ନୂଆ ଜୀବନ ପାଇଛନ୍ତି। ରାଉରକେଲାର ଜନୈକ ୨୨ବର୍ଷୀୟ ଯୁବକଙ୍କ ଛାତିରେ ବିଦ୍ଧ ହେବା ପରେ ସେ ଗୁରୁତର ହୋଇପଡ଼ିଥିଲେ। ଯୁବକଙ୍କ ପରିବାର ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଏହାର ଜଟିଳତା ଓ ଏଥିରେ ଅଧିକ ବିପଦ ଥିବାରୁ କୌଣସି ଡାକ୍ତରଖାନରେ ତାଙ୍କ ଦେହରେ ଥିବା ତୀର ବାହାର କରିବା ସମ୍ଭବ ହୋଇପାରିନଥିଲା। ଶେଷ ଆଶା ରଖି ପରିବର ଲୋକେ ତାଙ୍କୁ କିମ୍ସରେ ଭର୍ତ୍ତି କରିଥିଲେ। ତେବେ କିମ୍ସର ବରିଷ୍ଠ ସର୍ଜନ ଡା. ଅମରେଶ ମିଶ୍ରଙ୍କ ନେତୃତ୍ୱରେ ଡା. ଏସ୍ କେ. ସାହୁ, ଡା ବିଏସ୍ ପୂଜାରୀ, ଡା ଏସ୍ ସାମଲ ଓ ଡା ଡି ହୋତାଙ୍କୁ ନେଇ ଗଠିତ ଡାକ୍ତରୀ ଦଳ ରୋଗୀଙ୍କଠାରେ ଏହି ଜଟିଳ ଅସ୍ତ୍ରୋପଚାର କରିଥିଲେ। ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଜେନେରାଲ ସର୍ଜରୀ, କାର୍ଡିଓଥୋରାସିକ୍ ଓ ଭାସ୍କୁଲାର ସର୍ଜରୀ (ସିଟିଭିଏସ), ଆନାସ୍ଥେସିଓଲୋଜି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗର ପ୍ରମୁଖ ବିଶେଷଜ୍ଞଙ୍କୁ ନେଇ ଏକ ଡାକ୍ତରୀ ଦଳ ତୁରନ୍ତ ଏକ ଜରୁରୀକାଳୀନ ଯୋଜନା କରିଥିଲେ।
ଅସ୍ତ୍ରୋପଚାରର ଜଟିଳତା ଉପରେ ସୂଚନା ଦେଇ ସର୍ଜରୀ ବିଭାଗ ଡା ସୁବ୍ରତ ସାହୁ କହିଛନ୍ତି, ଏଭଳି ଘଟଣା ଅତ୍ୟନ୍ତ ବିରଳ ଓ ଅତ୍ୟନ୍ତ ବିପଜ୍ଜନକ। ଏଭଳି ଆଘାତ ଅତ୍ୟନ୍ତ ବିପଦଜନକ। ଅନେକ କ୍ଷେତ୍ରରେ ରୋଗୀମାନେ ତୀର କାଢ଼ିବା ସମୟରେ ରକ୍ତସ୍ରାବ ବନ୍ଦ ହୋଇ ନପାରିବା କାରଣରୁ ଅନେକ ରୋଗୀଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥାଏ। ତେବେ ସୌଭାଗ୍ୟର ବିଷୟ ଯେ ସେମାନେ ଯାଇଥିବା ଡାକ୍ତରଖାନାଗୁଡ଼ିକରେ ତୀର ହଟାଇବାକୁ ଚେଷ୍ଟା କରାଯାଇନଥିଲା। ଫଳରେ ଏହା ଆମକୁ ଅସ୍ତ୍ରୋପଚାରର ସଠିକ୍ ଯୋଜନା କରିବାର ସୁଯୋଗ ଦେଇଥିଲା ବୋଲି ଡା ସାହୁ ପ୍ରକାଶ କରିଛନ୍ତି।
ସର୍ଜିକାଲ୍ ଟିମ୍ କ୍ଷତର ମାତ୍ରା ଜାଣିବା ପାଇଁ ପ୍ରଥମେ ରୋଗୀଙ୍କ ତଳ ପେଟ ଓ ପରେ ଛାତିରେ ଅସ୍ତ୍ରୋପଚାର କରିଥିଲେ। ଏଥିରେ ତୀର ଫୁସଫୁସକୁ ଛୁଇଁଥିବା ଜଣାପଡ଼ିଥିଲା। ଭଗବାନଙ୍କ କୃପାରୁ ଏହା ହୃଦୟକୁ ଛୁଇଁ ନଥିଲା। ତେବେ ତୀରଟି ଫୁସଫୁସରୁ ବାହାର ହେବା ମାତ୍ରେ ବହୁତ ପରିମାଣରେ ରକ୍ତସ୍ରାବ ଆରମ୍ଭ ହୋଇଥିଲା। ସଙ୍ଗେ ସଙ୍ଗେ ଏହାକୁ ନିୟନ୍ତ୍ରଣ କରିବାକୁ ପଡୁଥିଲା। କାର୍ଡିଓଥୋରାସିକ୍ ଓ ଭାସ୍କୁଲାର ସର୍ଜରୀ (ସିଟିଭିଏସ) ବିଭାଗର ଡାକ୍ତର ସତ୍ୟଜିତ୍ ସାମଲ କହିଛନ୍ତି, ଅସ୍ତ୍ରୋପଚାର ସମୟରେ ଫୁସଫୁସର କ୍ଷତିଗ୍ରସ୍ତ ହୋଇଥିବା ଅଂଶ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା। ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା। ଏବେ ସେ ସ୍ୱାଭାବିକ ଜୀବନଯାପନ କରିବେ ବୋଲି ଡାକ୍ତର ସାମଲ କହିଛନ୍ତି। ଡାକ୍ତରଙ୍କୁ କୃତଜ୍ଞତା ଜଣାଇବା ସହ ଅନେକ ଡାକ୍ତରଖାନାରେ ଚିକିତ୍ସା କରିବାକୁ ମନା କରିବାରୁ ପରିବାର ପ୍ରାୟ ଆଶା ହରାଇ କିମ୍ସ ଆସି ଏଠାରେ ସୁସ୍ଥ ହୋଇଥିବା ରୋଗୀଙ୍କ ଭାଇ ପ୍ରକାଶ କରିଛନ୍ତି। ଏହି ଘଟଣାରେ କିଟ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସଂପୃକ୍ତ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇବା ସହ ରୋଗୀଙ୍କ ଆରୋଗ୍ୟ କାମନା କରିଛନ୍ତି।
Comments are closed, but trackbacks and pingbacks are open.