ଶେୟାର ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ କ୍ରାସ୍‌, ନିବେଶକଙ୍କ ବୁଡ଼ିଲା୪.୩ ଲକ୍ଷ କୋଟି ଟଙ୍କା

19

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ କାରବାର ଦିନରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରକେ ବିକ୍ରିର ପ୍ରବଳ ଚାପ ଯୋଗୁଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ର ସେନସେକ୍ସ ୭୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୩,୧୭୨ ସ୍ତରକୁ ଖସି ଆସିଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE)ର ନିଫ୍ଟି ମଧ୍ୟ ୨୧୯ ପଏଣ୍ଟ ହ୍ରାସ ପାଇ ୨୨,୯୯୧ ସ୍ତରରେ ପହଞ୍ଚିଛି। ବଜାରରେ ଏହି ହ୍ରାସ ଯୋଗୁଁ ମାତ୍ର କିଛି ମିନିଟ୍ ମଧ୍ୟରେ BSE ରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ପ୍ରାୟ ୪.୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪,୭୭,୫୯,୧୧୭ କୋଟି ଟଙ୍କାକୁ ଖସି ଆସିଛି। ଏହି ବଡ଼ ଧରଣର କ୍ରାସ୍ ପଛରେ ମୁଖ୍ୟତଃ ବିଶ୍ୱବ୍ୟାପୀ ଭୂ-ରାଜନୈତିକ ଉତ୍ତେଜନା ଏବଂ ଉପୁଜିଥିବା ତୈଳ ସଙ୍କଟ ଦାୟୀ। ଇରାନ ଏହାର ବନ୍ଦରଗୁଡ଼ିକ ଉପରୁ ନୌସେନା ଅବରୋଧ ହଟାଇବା ବଦଳରେ ଗୁରୁତ୍ୱପୂର୍ଣ୍ଣ ଜାହାଜ ପଥ ‘ହର୍ମୁଜ୍ ପ୍ରଣାଳୀ’କୁ ବାଣିଜ୍ୟିକ ଜାହାଜ ପାଇଁ ଖୋଲିବାକୁ ସର୍ତ୍ତ ରଖିଥିଲା। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେବା ପରେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ବଢ଼ିଯାଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ତେଲ ଦର ୧.୫% ରୁ ୨% ବୃଦ୍ଧି ପାଇ ବ୍ୟାରେଲ ପ୍ରତି $105.64 ରୁ $106.20 ରେ ପହଞ୍ଚିଥିବା ବେଳେ US WTI ମଧ୍ୟ $93.55 କୁ ବୃଦ୍ଧି ପାଇଛି। ଫଳରେ ଭାରତ ପରି ଆମଦାନୀ-ନିର୍ଭରଶୀଳ ଦେଶଗୁଡ଼ିକର ଅର୍ଥନୀତି ଉପରେ ଚାପ ସୃଷ୍ଟି ହୋଇଛି, ଯାହାର ସିଧାସଳଖ ପ୍ରଭାବ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି।

Comments are closed, but trackbacks and pingbacks are open.