ଗୋଆରେ କଂଗ୍ରେସକୁ ଶକ୍ତ ଧକ୍କା: ବିଭାଜନ ଘଟାଇ ୮ ବିଧାୟକ ବିଜେପିରେ ସାମିଲ

30

ପାଣାଜୀ: କନ୍ୟାକୁମାରୀରୁ ଜମ୍ମ-କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ଼ ଯାତ୍ରା’ ଚଳାଇଥିବା କଂଗ୍ରେସକୁ ଗୋଆରେ ଶକ୍ତ ଧକ୍କା ଲାଗିଛି । ବୁଧବାର ପାର୍ଟିର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ଜଣ କ୍ଷମତାସୀନ ବିଜେପିରେ ସାମିଲ ହୋଇଛନ୍ତି । ସମସ୍ତ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ ବିଧାନସଭାରେ ପହଞ୍ଚି ବାଚସ୍ପତି ରମେଶ ତାୱଡ଼କର୍‌ଙ୍କୁ କଂଗ୍ରେସରୁ ଅଲଗା ହେବା ପତ୍ର ପ୍ରଦାନ କରିଥିଲେ । ଏହାର ତୁରନ୍ତ ପରେ ଗୋଆ ବିଜେପି ପ୍ରଦେଶ ଅଧ୍ୟକ୍ଷ ସଦାନନ୍ଦ ତନବଡ଼େ ସମସ୍ତଙ୍କୁ ବିଜେପି ସଦସ୍ୟତା ପ୍ରଦାନ କରିଥିଲେ । କଂଗ୍ରେସ ଛାଡ଼ିଥିବା ବିଧାୟକଙ୍କ ମଧ୍ୟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ୍‌, ମାଇକେଲ୍ ଲୋବୋ, ଦେଲିୟା ଲୋବୋ, କେଦାର ନାଏକ, ରାଜେଶ ଫଲଦେସାଇ, ଏଲେକ୍ସୋ ସ୍କାଇରିୟା, ସଂକଳ୍ପ ଅମୋଲକର ଏବଂ ରୋଡୋଲ୍‌ଫୋ ଫର୍ଣ୍ଣାଣ୍ଡିଜ୍ ସାମିଲ । ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ମୋଟ ସଂଖ୍ୟାର ଦୁଇ-ତୃତୀୟାଂଶୁ ଅଧିକ ହେଉଥିବା କାରଣରୁ ସେମାନଙ୍କ ବିରୋଧରେ ଦଳ ବଦଳ ଆଇନ ଲାଗୁହେବ ନାହିଁ ।
ଗୋଆରେ ପାର୍ଟି ବିଧାୟକ ଦଳରେ ବିଭାଜନ ପରେ କଂଗ୍ରେସ ମୁଖପାତ୍ର ପବନ ଖେରା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ବିଜେପି ଭାରତ ଯୋଡ଼ ଯାତ୍ରାକୁ ଡରିଯାଇଛି ଏବଂ ଅପରେସନ୍ କିଚଡ଼ କରିବାରେ ଲାଗିଛି । ସେ ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି ଆହୁରି କହିଛନ୍ତି, ବିଜେପି କେବଳ ଭାଙ୍ଗିପାରେ । ଅନ୍ୟପକ୍ଷରେ କଂଗ୍ରେସର ଗୋଆ ପ୍ରଭାରୀ ଦିନେଶ ଗୁଣ୍ଡୁରାଓ ଟ୍ୱିଟକରି ଲେଖିଛନ୍ତି, ଅର୍ଥ ଏବଂ କ୍ଷମତା ବଳରେ ଗଣତାନ୍ତ୍ରିକ ସିଦ୍ଧାନ୍ତର ହତ୍ୟା କରାଯାଉଛି ।
ଚଳିତବର୍ଷ ଜୁଲାଇରେ କଂଗ୍ରେସ ପାର୍ଟିବିରୋଧୀ ଗତିବିଧିରେ ସାମିଲ ଅଭିଯୋଗରେ ଦିଗମ୍ବର କାମତ୍ ଏବଂ ମାଇକେଲ୍ ଲୋବୋଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥିଲା । ଏପରିକି ଲୋବୋଙ୍କ ବିରୋଧୀ ଦଳ ନେତା ପଦରୁ ମଧ୍ୟ ହଟାଇ ଦେଇଥିଲା । ସେହିପରି ବିଭାଜନରୁ ବଞ୍ଚିବା ପାଇଁ କଂଗ୍ରେସ ନିଜର ୫ ବିଧାୟକଙ୍କୁ ଚେନ୍ନାଇ ପଠାଇ ଦେଇଥିଲା ।
ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ କଂଗ୍ରେସର ସମସ୍ତ ପ୍ରାର୍ଥୀଙ୍କୁ ପାଞ୍ଚବର୍ଷ ପର୍ଯ୍ୟନ୍ତ କଂଗ୍ରେସ ନଛାଡ଼ିବାକୁ ଶପଥ ଦେଇଥିଲେ । ଏହି ଅବସରରେ କଂଗ୍ରେସ ସମସ୍ତ ପ୍ରାର୍ଥୀଙ୍କଠାରୁ ଏକ ଶପଥପତ୍ରରେ ସ୍ୱାକ୍ଷର ମଧ୍ୟ କରାଇଥିଲା । ଆଫିଡେଭିଟ୍ ଦାଖଲ କରି ସମସ୍ତ ବିଧାୟକ ପାଞ୍ଚବର୍ଷ ପର୍ଯ୍ୟନ୍ତ ପାର୍ଟି ଛାଡ଼ିବେନି ଏବଂ କଂଗ୍ରେସରେ ରହି ଗୋଆର ସେବା କରିବେ ବୋଲି କହିଥିଲେ । ଏହା ପୂର୍ବରୁ ୨୦୧୯ରେ କଂଗ୍ରେସର ୧୫ ବିଧାୟକ ମଧ୍ୟରୁ ୧୦ ଜଣ ବିଜେପିରେ ସାମିଲ ହୋଇଥିଲେ । ଏହା ମଧ୍ୟରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭେଲ୍‌କର ମଧ୍ୟ ସାମିଲ ଥିଲେ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସମସ୍ତ ବିଧାୟକଙ୍କୁ ବିଜେପିରେ ସାମିଲ କରାଇଥିଲେ ।

Comments are closed, but trackbacks and pingbacks are open.