ଭୁବନେଶ୍ବର : ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହଂସୀତା ଅନୀଲ। ବହୁଚର୍ଚ୍ଚିତ ଠକେଇ ମାମଲାରେ ଜାମିନ ଲୋଡିଛନ୍ତି ହଂସୀତା ଅଭିଲିପ୍ସା ଓ ଅନୀଲ କୁମାର ମହାନ୍ତି। ଇନଫୋସିଟି ଥାନାରେ ରୁଜୁ ମାମଲାରେ ଜାମିନ ଆବେଦନ କରିଛନ୍ତି । ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ଜାନୁଆରୀ ୨୮ ରେ ଜାମିନ ଖାରଜ କରିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଉଭୟ ପୃଥକ ପୃଥକ ଜାମିନ ଆବେଦନ କରିଛନ୍ତି। ସୂଚନା ଅନୁସାରେ ଏହି ହାଇପ୍ରୋଫାଇଲ୍ ଠକେଇ ମାମଲାରେ ଅନିଲ-ହଂସିତାଙ୍କ ଜାମିନ ଖାରଜ କରିଥିଲେ ଭୁବନେଶ୍ଵର ଏଡିଜେ-୨ କୋର୍ଟ । ଜାନୁଆରୀ ୧୮ ତାରିଖରେ ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଶୁଣାଣି ଶେଷ ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଉଭୟଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଏଡିଜେ-୨ କୋର୍ଟରେ ଆବେଦନ କରିଥିଲା କମିଶନରେଟ ପୋଲିସ । ସେପଟେ ଠକ ଦମ୍ପତ୍ତିଙ୍କ ପିଛା ଛାଡୁନି ଆୟକର ବିଭାଗ । ଚନ୍ଦ୍ରଶେଖରପୁରରେ ଅନୀଲ୍ଙ୍କ ଜନ୍ମଦିନ ପାର୍ଟି ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଥିଲା ଏବଂ ପାଖାପାଖି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ପାର୍ଟିରେ ଖର୍ଚ୍ଚ କରିବାକୁ ସେମାନେ ଏତେ ଟଙ୍କା କେଉଁଠୁ ପାଇଲେ, ତାର ହିସାବନିକାସ କରୁଛି ଆୟକର ବିଭାଗ । ଏହି ଦୁଇ ଠକଙ୍କୁ ଜେଲ୍ରେ ଜେରା କରିବା ପାଇଁ ଆୟକର ବିଭାଗ ତରଫରୁ ସେସନ୍ସ୍ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଏହି ଆବେଦନର ଶୁଣାଣି କରି ସେମାନଙ୍କୁ ଗୋଟିଏ ଦିନ ଜେରା କରିବାକୁ ଅନୁମତି ଦେଇଥିଲେ । କୋର୍ଟ ଅନୁମତି ପରେ ଆୟକର ବିଭାଗର ୧୨ଜଣିଆ ସ୍କ୍ବାଡ୍ ଝାରପଡ଼ା ଜେଲ୍କୁ ଯାଇ ଠକ ଯୋଡ଼ିଙ୍କୁ ଜେରା କରିଥିଲା । ପ୍ରଥମେ ଅଲଗା ଅଲଗା ଓ ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲା ଆୟକର ବିଭାଗ ।
Comments are closed, but trackbacks and pingbacks are open.