ଗୁଜରାଟରେ ଝୁଲନ୍ତା ପୋଲ ଭୁଶୁଡି ୬୦ ମୃତ

23

ଅହମ୍ମଦାବାଦ: ଗୁଜରାଟର ମୋର୍ବି ସହରରେ ରବିବାର ମାଚ୍‌ଛୁ ନଦୀ ଉପରେ ନିର୍ମିତ ଝୁଲନ୍ତା ପୋଲ ଭୁଶୁଡି ପଡିବା ଫଳରେ ୬୦ ଜଣ ପ୍ରାଣ ହରାଇଛନ୍ତିି । ପୋଲ ଭୁଶୁଡିବାପରେ ଶତାଧିକ ଲୋକ ନଦୀଗର୍ଭକୁ ଖସିପଡିଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଂଘଭୀ ସୂଚନା ଦେଇଛନ୍ତି । ଦୁର୍ଘଟଣା ସମୟରେ ଉକ୍ତ ପୋଲ ଉପରେ ପ୍ରାୟ ପାଞ୍ଚଶହ ଲୋକ ଉପସ୍ଥିତ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଛଟ୍ ପୂଜା ଉପଲକ୍ଷେ ପୋଲ ଉପରେ ଏଭଳି ଭିଡ ଜମିଥିବା କୁହାଯାଇଛି । ଦୁର୍ଘଟଣାପରେ କେତେକ ଲୋକ ପୋଲର ଭଙ୍ଗା ଅଂଶକୁ ଧରି ଝୁଲିପଡିଥିବାବେଳେ ନଦୀଗର୍ଭକୁ ଖସିପଡିଥିବା ଆଉ କେତେକ ଲୋକ ପହଁରି ପହଁରି କୂଳରେ ପହଞ୍ଚିଥିଲେ । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବାବେଳେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଶନିବାର ଶତାଧିକ ଲୋକ ଉକ୍ତ ପୋଲ ଉପରେ ଡିଆଁଡେଇଁ ଓ କୁଦାକୁଦି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମ୍ଭବତଃ ଲୋକଙ୍କ ଏଭଳି କାର୍ଯ୍ୟ ଯୋଗୁଁ ପୋଲ ଭୁଶୁଡି ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ର ଦୁଇଟି ଟିମ୍ ସମେତ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଦୁର୍ଘଟଣାପରେ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ଜଣାପଡିଛି । ଦୁର୍ଘଟଣା ସୂଚନା ମିଳିବାପରେ ରାଜକୋଟ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ୬ଟି ବୋଟ୍ ଓ ୬ଟି ଆମ୍ବୁଲାନ୍ସ ପଠାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନିର୍ଦ୍ଦେଶକ୍ରମେ ଗୃହମନ୍ତ୍ରୀ ହର୍ଷ ସାଂଘଭୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ସଂପ୍ରତି ନିର୍ବାଚନୀ ଗସ୍ତରେ ଗୁଜରାଟ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ପ୍ରତ୍ୟେକ ଆହତଙ୍କୁ ୫୦,୦୦୦ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହିତ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚପଦସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ଦୁର୍ଘଟଣା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସ୍ଥିତି ଉପରେ ନିୟମିତ ନଜର ରଖିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପୀଡିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ମୋଦୀ କଡା ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣା ସମ୍ପର୍କରେ ଗୁଜରାଟ ଗୃହମନ୍ତ୍ରୀ ସାଂଘଭୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ସଂପ୍ରତି ଗୁଜରାଟ ଗସ୍ତରେ ଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ବ୍ରିଟିଶ ଅମଳର ଏହି ଝୁଲନ୍ତା ପୋଲ ପ୍ରାୟ ୧୪୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ତେବେ ରକ୍ଷଣାବେକ୍ଷଣର ଆବଶ୍ୟକତା ପଡିବାପରେ ଏହାକୁ ଯାତାୟାତ ପାଇଁ ବନ୍ଦ କରାଯାଇ ଟେଣ୍ଡର ଜରିଆରେ ମରାମତି ଦାୟିତ୍ୱ ଓରେଭା ଗ୍ରୁପ୍ ଉପରେ ନ୍ୟସ୍ତ କରାଯାଇଥିଲା । ମରାମତି ପରେ ଗୁଜରାଟ ନବବର୍ଷ ଅବସରରେ ଚଳିତମାସ ୨୬ରେ ଉକ୍ତ ପୋଲଟି ପୁଣି ଯାତାୟାତ ପାଇଁ ଖୋଲାଯାଇଥିଲା ।

Comments are closed, but trackbacks and pingbacks are open.