ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ଆରମ୍ଭ

34

ଭୁବନେଶ୍ବର: ପୁରୀରେ ହବିଷ୍ୟାଳିମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମାଆମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ୱାଗତ କରି ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ମା’ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଓ ସେମାନଙ୍କ ପରିବାର ତଥା ସାରା ରାଜ୍ୟବାସୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଶାବାସୀଙ୍କ କଲ୍ୟାଣ ପାଇଁ କାମ କରିଆସିଛନ୍ତି । ଆଜି ମା’ମାନଙ୍କ ମନ କଥା ଜାଣି ସେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ବୃନ୍ଦାବତୀ ନିବାସ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ୩ ଜଣ ହବିଷ୍ୟାଳି ଗଞ୍ଜାମର ଉର୍ମିଳା ପଟ୍ଟନାୟକ, ମୟୂରଭଞ୍ଜର ସାବିତ୍ରୀ ବିନ୍ଧାଣି ଓ ପୁରୀର ଡଲିମଣି ନାଇଡ଼ୁ ଏହି ନୂଆ ସୁବିଧା ସମ୍ପର୍କରେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁ ସୁବିଧା କରିଛନ୍ତି । ରହିବା, ଶୋଇବା, ଖାଇବା କୌଣସିରେ ଅସୁବିଧା ନାହିଁ । ଜଗନ୍ନାଥ ମହାପ୍ରଭୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟିଏ ପରମାୟୁ ଦିଅନ୍ତୁ କହି ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱପ୍ନାରାଣୀ ସ୍ୱାଇଁ, ପରିଚାଳନା କମିଟିର ସଦସ୍ୟ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱାଗତ ଭାଷଣ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Comments are closed, but trackbacks and pingbacks are open.