ବିହାରରୁ ବନ୍ଧୁକ ଆଣି କଟକରେ କରୁଥିଲେ ବିକ୍ରି: ୩ ବନ୍ଧୁକ ସହିତ ୧୫ ଗୁଳି ଜବତ, ୩ ଗିରଫ

26

ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର କରୁଥିବା ଏକ ରାକେଟ୍‌କୁ ଠାବ କରିଛି ଲାଲ୍‌ବାଗ ପୁଲିସ । ନିମ୍‌ଚୌଡ଼ିରୁ ଆରଏନ୍‌ଟି କଲେଜ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ବନ୍ଧୁକ ବିକ୍ରୟ ପାଇଁ ଡିଲ୍ ହେଉଥିବା ବେଳେ ଅଚାନକ କମିଶନରେଟ୍ ପୁଲିସର ସ୍ପେଶାଲ୍ ସ୍କ୍ୱାଡ୍ ଚଢ଼ଉ କରି ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩ଟି ମୁଙ୍ଗେର୍ ବନ୍ଧୁକ ସମେତ ୧୫ଟି ଅଫୁଟା ଗୁଳି ଓ ୩ଟି ବାଇକ୍ ଜବତ କରିଛି । ସେମାନଙ୍କ ନିକଟରୁ ୩ଟି ମୋବାଇଲ୍ ମଧ୍ୟ ଜବତ କରାଯାଇଛି । ଗିରଫ ଦୁର୍ବୃତ୍ତମାନେ ହେଲେ ନିଆଳି ଅଞ୍ଚଳର ଗୋପିନାଥ ପାତ୍ର(୩୭), ଗତିରାଉତପାଟଣାର ଶ୍ରୀକାନ୍ତ ରାଉତ(୪୦) ଏବଂ କିଶନନଗରର ଜ୍ୟୋତିରଞ୍ଜନ ରାଉତ(୨୫) । ତେବେ ଏହି କାରବାରର ମାଷ୍ଟର୍ ମାଇଣ୍ଡ୍ ପୁଲିସ ଆଖିରେ ଧୂଳିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ମାଷ୍ଟର୍ ମାଇଣ୍ଡଚୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ପ୍ରକାଶ ଯେ ଗିରଫ ତିନିଜଣ ଅଭିଯୁକ୍ତ ବିହାରର ମୁଙ୍ଗେର୍‌ରୁ ଦେଶୀ ଓ ବିଦେଶୀ ବନ୍ଧୁକ ଆଣି କଟକ ସମେତ ଭୁବନେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବିକ୍ରି କରନ୍ତି । ଏପରିକି ୯ଏମ୍‌ଏମ୍ , ୩୮୦ ଏମ୍‌ଏମ୍ ଦେଶୀ ବନ୍ଧୁକ, ବିଦେଶୀ ମାଉଜର୍ ଏବଂ ଅତ୍ୟାଧୁନିକ ରିଭଲବର୍ ଏସବୁ ସ୍ଥାନରେ ବିକ୍ରି କରନ୍ତି । ୧୫ହଜାର ଟଙ୍କାରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାମ୍‌ରେ ଏହି ଗ୍ୟାଙ୍ଗ୍ ଏଠାରେ ବନ୍ଧୁକ ବିକ୍ରି କରନ୍ତି । ୫୦ହଜାର ଟଙ୍କାରେ ବିଦେଶୀ ମାଉଜର ଏମାନେ ସହଜରେ ଯୋଗାଉଥିବା ଜଣାପଡ଼ିଛି । ପୁଲିସ କହିଛି ଯେ ଗିରଫମାନେ ଆଜି ଏକ ବଡ଼ ଧରଣର ଡକାୟତି କରିବାକୁ ଯୋଜନା କରୁଥିଲେ । ଏକ ବିଶେଷସୂତ୍ରରୁ ଲାଲବାଗ ଥାନା ପୁଲିସ ଖବର ପାଇ କମିଶନରେଟ୍ ପୁଲିସର ସ୍ପେଶାଲ୍ ସ୍କ୍ୱାଡ୍‌କୁ ଜଣାଇଥିଲା । ମିଳିତ ଭାବେ ଲାଲବାଗ ଥାନା ପୁଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ଚଢ଼ଉ କରିବାରୁ ଅପରାଧୀମାନେ ଧରାପଡ଼ିଯାଇଥିଲେ । କଟକ ସହରରେ ଚୋରା ବନ୍ଧୁକ କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଏକ ସ୍ପେଶାଲ୍ ଡ୍ରାଇଭ୍ କରାଯିବ ବୋଲି ଡିସିପି ଶ୍ରୀ ମିଶ୍ର କହିଛନ୍ତି । ଆଜି ଗିରଫମାନଙ୍କୁ କୋର୍ଟଚାଲଣ କରାଯାଇଛି ।

Comments are closed, but trackbacks and pingbacks are open.