ଶପଥ ନେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର

25

ଗାନ୍ଧୀନଗର: ବରିଷ୍ଠ ବିଜେପି ନେତା ଭୂପେନ୍ଦ୍ର ପଟେଲ ଗୁଜରାଟର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି । ସୋମବାର ନବନିର୍ମିତ ସଚିବାଳୟ ନିକଟରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଭୂପେନ୍ଦ୍ରଙ୍କ ବ୍ୟତୀତ ତାଙ୍କ କ୍ୟାବିନେଟର ୧୬ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥଗ୍ରହଣ କରିଛନ୍ତି । ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସମେତ ବିଜେପି ଶାସିତ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଏଥରର ଶପଥଗ୍ରହଣ ଉତ୍ସବକୁ ୨୦୦ ସାଧୁଙ୍କୁ ସ୍ୱତନ୍ତ୍ରଭାବେ ଆମନ୍ତ୍ରିତ କରାଯାଇଥିବାବେଳେ ଦର୍ଶକମଣ୍ଡଳୀରେ ପଛୁଆ ବର୍ଗ, ତଫସିଲଭୁକ୍ତ ଜାତି, ଜନଜାତି ସଂପ୍ରଦାୟ ଲୋକଙ୍କୁ ସାମିଲ କରାଯାଇଥିବା ଜଣାପଡିଛି । ଭୂପେନ୍ଦ୍ର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ହାଇକମାଣ୍ଡ ୨୦୨୧ ସେପ୍ଟେମ୍ବରରେ ବିଜୟ ରୁପାଣିଙ୍କୁ ହଟାଇ ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ । ଭୂପେନ୍ଦ୍ରଙ୍କ ନବନିଯୁକ୍ତ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କୁ କ୍ୟାବିନେଟ୍‌, ୨ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଏବଂ ଅନ୍ୟ ୬ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ପୁନଶ୍ଚ ପୂର୍ବ କ୍ୟାବିନେଟ୍‌ର ୧୧ ଜଣ ମନ୍ତ୍ରୀ ଏଥର ସେମାନଙ୍କର ଆସନ ସୁରକ୍ଷିତ ରଖିପାରିଛନ୍ତି । ୧୭ ଜଣିଆ ମନ୍ତ୍ରିମଣ୍ଡଳରେ ଭାନୁବେନ୍ ବାବାରିୟା ଏକମାତ୍ର ମହିଳାଭାବେ ସ୍ଥାନ ପାଇଛନ୍ତି । ସୂଚନାଯୋଗ୍ୟ ଗୁଜରାଟ ବିଧାନସଭାର ୧୮୨ ଆସନ ପାଇଁ ଚଳିତବର୍ଷ ଡିସେମ୍ବର ୧ ଓ ୫, ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା । ଡିସେମ୍ବର ୮ରେ ଗଣତି ଶେଷପରେ ଫଳାଫଳ ଘୋଷଣା କରାଯାଇଥିଲା । ବିଜେପି ସର୍ବାଧିକ ୧୫୬ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିବାବେଳେ କଂଗ୍ରେସକୁ ୧୭ ଏବଂ ଆପ୍‌କୁ ୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ୬୦ ବର୍ଷୀୟ ଭୂପେନ୍ଦ୍ର ଘାଟ୍‌ଲୋଦିଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧.୯୨ ଲକ୍ଷ ଭୋଟରେ ପରାସ୍ତ କରିଛନ୍ତି । ବିଜେପି କ୍ରମାଗତ ସପ୍ତମ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବାବେଳେ ଭୂପେନ୍ଦ୍ର ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାସହିତ ନୂତନ ସରକାର ଗଠନ ଦାବି ଉପସ୍ଥାପନ କରିଥିଲେ । ଶନିବାର ଅନଷ୍ଠିତ ବୈଠକରେ ଭୂପେନ୍ଦ୍ର ନିଦ୍ୱନ୍ଦ୍ୱର୍ରେ ବିଜେପି ବିଧାୟକ ଦଳର ନେତା ମନୋନୀତ ହୋଇଥିଲେ ।

Comments are closed, but trackbacks and pingbacks are open.