ଭୁବନେଶ୍ୱର: ପ୍ରତିବର୍ଷ ଯେତିକି ଅଧ୍ୟାପକ ନିଯୁକ୍ତ ହେଉଛନ୍ତି ତାହାର ଦୁଇ ଗୁଣ ଅବସର ଗ୍ରହଣ କରୁଛନ୍ତି। ଯେଉଁଥିପାଇଁ ୨୦୨୫-୨୬ ଶିକ୍ଷାବର୍ଷରେ ବି କଲେଜଗୁଡ଼ିକୁ ଅତିଥି ଅଧ୍ୟାପକଙ୍କ ଉପରେ ଭରସା କରିବାକୁ ପଡ଼ିଛି। ମହାବିଦ୍ୟାଳୟ, ଡିଗ୍ରି ଓ ଯୁକ୍ତ୨ ସରକାରୀ କଲେଜ ଲାଗି ମଞ୍ଜୁର ହୋଇଥିବା ୨,୭୪୪ଟି ଅଧ୍ୟାପକ ପଦ ମଧ୍ୟରୁ ୧୧୦୦ରୁ ଅଧିକ ଖାଲି ପଡ଼ିଛି। ଚଳିତବର୍ଷ ପାଖାପାଖି ୧୫୦୦ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଡିଗ୍ରି କଲେଜରେ ୬୮୯ ଜଣ ଅଧ୍ୟାପକ ନିଯୁକ୍ତି ପାଇଁ ଆବଶ୍ୟକ ପ୍ରକ୍ରିୟା କରିବା ପାଇଁ ଓପିଏସ୍ସିକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଅନୁଦାନପ୍ରାପ୍ତ କଲେଜରେ ୭୮୬ ଜଣ ଅଧ୍ୟାପକ ନିଯୁକ୍ତି ପାଇଁ ଷ୍ଟାଫ୍ ସିଲେକ୍ସନ୍ ବୋର୍ଡକୁ କୁହାଯାଇଛି। ତେବେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ କିଛି ମାସ ସମୟ ଲାଗିବ। ତେଣୁ କଲେଜଗୁଡ଼ିକ ଅତିଥି ଅଧ୍ୟାପକ ନିଯୁକ୍ତ କରିବେ। ଅଧ୍ୟାପକ ହେବା ଲାଗି କେଉଁ ଯୋଗ୍ୟତା ଆବଶ୍ୟକ, କେତେ ସମୟ ପାଇଁ ନିଯୁକ୍ତି, ପ୍ରତି ମାସରେ କେତେ କ୍ଲାସ୍ ନେବେ, କେତେ ଦରମା ପାଇବେ ସେନେଇ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଯୁକ୍ତ୨ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ପଦବି ପୂରଣ ହୋଇପାରି ନ ଥିବାରୁ ଚଳିତ ଶିକ୍ଷାବର୍ଷରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଆଧାରରେ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଯୁକ୍ତ୨କୁ ଉନ୍ନୀତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇ ଖାଲି ପଦବି ପୂରଣ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା। ସେହି ଅନୁଯାୟୀ ନିଯୁକ୍ତି ସହ ଅତିଥି ଅଧ୍ୟାପକମାନେ ଗୋଟିଏ ବର୍ଷ ପାଇଁ ଚୁକ୍ତିଭିତ୍ତିରେ କାର୍ଯ୍ୟ କରିବେ। ମାସକୁ ଦରମା ୨୦ ହଜାର ଟଙ୍କା ରହିବ। କ୍ଲାସ୍ ପିଛା ୪୦୦ ଟଙ୍କା ଲେଖାଏଁ ମିଳିବ। ଜଣେ ଅତିଥି ଅଧ୍ୟାପକ ମାସକୁ ସର୍ବାଧିକ ୫୦ଟି କ୍ଲାସ୍ ନେଇପାରିବେ। ଗତ ୨୦ ତାରିଖ ସୁଦ୍ଧା ରାଜ୍ୟର ଅଧିକାଂଶ କଲେଜରେ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଶିକ୍ଷାବର୍ଷ ଆରମ୍ଭରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ବସିଥିବା କୁଳପତିମାନଙ୍କ ସମ୍ମିଳନୀରେ ବ୍ୟାପକ ଆଲୋଚନା ସହ ମେ’ ମାସ ସୁଦ୍ଧା ପଦବିଗୁଡ଼ିକ ପୂରଣ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଥିଲା। ମାତ୍ର କୁଳପତି ଚୟନ ଠିକ୍ ସମୟରେ ନ ହେବାରୁ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଠପ୍ ହୋଇପଡ଼ିଛି। ତେଣୁ ୨୦୨୫-୨୬ ଶିକ୍ଷାବର୍ଷରେ ପୁଣିଥରେ ଅତିଥି ପ୍ରଫେସରଙ୍କ ଉପରେ ନିର୍ଭର କରିବାକୁ ପଡ଼ିଛି। ଯେଉଁମାନେ ୨୦୨୪ରେ ନିଯୁକ୍ତ ହୋଇଛନ୍ତି ସେମାନେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି କୁହାଯାଇଛି।
Comments are closed, but trackbacks and pingbacks are open.