୨୦୨୨ ଜୁନ୍ ସୁଦ୍ଧା ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ: ରାଜ୍ୟଗୁଡିକ ପାଇବେ ବକେୟା ୧୭ ହଜାର କୋଟି

36

ନୂଆଦିଲ୍ଲୀ : ଚଳିତବର୍ଷ ଜୁନ୍ ସୁଦ୍ଧା ଜିଏସ୍‌ଟି କ୍ଷତିପୂରଣ ବାବଦରେ ରାଜ୍ୟଗୁଡିକ ବକେୟା ୧୭,୧୭୬ କୋଟି ଟଙ୍କା ପାଇବେ ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗଳବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି । ଆଜକୁ ପାଞ୍ଚବର୍ଷ ହେଲା କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଜିଏସ୍‌ଟି ବାବଦ କ୍ଷତିପୂରଣ ଦେଇଆସୁଛନ୍ତି । ଏପରିକି କୋଭିଡ୍ ସମୟରେ କୌଣସି ଜିଏସ୍‌ଟି ଆଦାୟ ହୋଇନଥିବା ସତ୍ତ୍ୱେ କେନ୍ଦ୍ର ସରକାର ଋଣ କରି ରାଜ୍ୟଗୁଡିକୁ କ୍ଷତିପୂରଣ ଦେଇଥିବା ସେ କହିଛନ୍ତି । ଏଥିପାଇଁ ୨୦୨୦-୨୧ ଓ ୨୦୨୧-୨୨ରେ କେନ୍ଦ୍ର ସରକାରଙ୍କୁ ଯଥାକ୍ରମେ ୧.୧ ଲକ୍ଷ କୋଟି ଏବଂ ୧.୫୯ ଲକ୍ଷ କୋଟି ଟଙ୍କା ଋଣ କରିବାକୁ ପଡିଥିଲା । ବର୍ତ୍ତମାନ ଜୁନ୍ ୨୦୨୨ ସୁଦ୍ଧା ରାଜ୍ୟଗୁଡିକ ଜିଏସ୍‌ଟି କ୍ଷତିପୂରଣ ବାବଦରେ କେବଳ ୧୭,୧୭୬ କୋଟି ଟଙ୍କା ପାଇବାକୁ ବାକି ରହିଛି । ଅପରପକ୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ତାମିଲନାଡୁ ସରକାର କ୍ଷତିପୂରଣ ବାବଦରେ ୧୨୦୦.୬ କୋଟି ଟଙ୍କା ପାଇବାର ଅଛି । ତେବେ ତାମିଲନାଡୁ ସରକାରଙ୍କଠାରୁ ୟୁଟିଲାଇଜେସନ ସାର୍ଟିଫିକେଟ ଏପର୍ଯ୍ୟନ୍ତ ମିଳିପାରିନଥିବାରୁ ଏହାକୁ ବକେୟା ଭାବେ ବିବେଚନା କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ନିର୍ମଳା କହିଛନ୍ତି ଯେ ୨୦୨୨-୨୩ ଆର୍ôଥକବର୍ଷରେ ଶିକ୍ଷା ବିଭାଗକୁ ୧ ଲକ୍ଷ କୋଟିରୁ ଅଧିକ ଅନୁଦାନ ଦିଆଯାଇସାରିଛି ।

Comments are closed, but trackbacks and pingbacks are open.