ଭୁବନେଶ୍ୱର: ସରକାରୀ ଚାକିରିଆଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ(ପେନ୍ସନ) ନିୟମ-୧୯୯୨ରେ କେତେକ ସଂଶୋଧନ ଅଣାଯାଇଛି। ଦିବ୍ୟାଙ୍ଗ ଓ ସ୍ୱାମୀ ପରିତ୍ୟକ୍ତା ଏବଂ ଝିଅମାନଙ୍କ ଭବିଷ୍ୟତକୁ ନିଶ୍ଚିତ କରାଯାଇଛି। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଟି ଦିଗରେ ନିୟମରେ ସଂଶୋଧନ କରାଯିବା ସହିତ ସରକାରୀ ଚାକିରିଆଙ୍କ ପରିବାରକୁ ଏକପ୍ରକାର ସୁରକ୍ଷା ବଳୟ ଭିତରକୁ ନିଆଯାଇଛି। ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଓଡ଼ିଶା ସରକାରଙ୍କ ଚାକିରିଆମାନେ ଯଦି ଇସ୍ତଫା ଦିଅନ୍ତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଇସ୍ତଫା ପତ୍ରକୁ ୯୦ଦିନ ମଧ୍ୟରେ ଫେରାଇ ନେବାକୁ ଚାହିଁବେ ତେବେ ସରକାର ତାକୁ ଗ୍ରହଣ କରିବେ। ମାତ୍ର ପୂର୍ବରୁ ସରକାରୀ ଚାକିରିଆ ଯଦି ଚାକିରିରୁ ଇସ୍ତଫା ଦେଉଥିଲେ ତାଙ୍କ ପାଇଁ ଏସଂକ୍ରାନ୍ତରେ କୌଣସି ସ୍ଵତନ୍ତ୍ର ମାର୍ଗଦର୍ଶିକା ନ ଥିଲା। ମାତ୍ର ଭାରତ ସରକାରଙ୍କ ଚାକିରିଆଙ୍କ କ୍ଷେତ୍ରରେ ଇସ୍ତଫା ଓ ସ୍ବେଚ୍ଛାକୃତ ଅବସରର ପୁନର୍ବାର ସୁଯୋଗ ରହିଥିଲା।
ସେହିପରି ଯେଉଁ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଥିବ, ମାତ୍ର ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ନ ଥିବେ ସେ କ୍ଷେତ୍ରରେ ସଂପୃକ୍ତ ଚାକିରିଆଙ୍କୁ ପେନ୍ସନ ମିଳିପାରିବ। ମାତ୍ର ପୂର୍ବରୁ ଉକ୍ତ ମାମଲାର ନିର୍ଯାସ କିମ୍ବା ଚୂଡାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ପେନ୍ସନ ମିଳୁ ନ ଥିଲା।
ସଂଶୋଧନ ଅନୁଯାୟୀ, ପୂର୍ବରୁ ସରକାରୀ ଚାକିରିଆମାନେ ଅବସର ବେଳେ ଅତି ବେଶିରେ ୧୫ଲକ୍ଷ ଟଙ୍କା ଗ୍ରାଚୁଇଟି ବାବଦକୁ ପାଉଥିବାବେଳେ ଏବେ ଏହି ପରିମାଣ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଚାରପତିଙ୍କ କ୍ଷେତ୍ରରେ ଏହା ୨୦ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଦିବ୍ୟାଙ୍ଗମାନେ ଜୀବନସାରା ଫ୍ୟାମିଲି ପେନ୍ସନ ପାଇବେ। ଏହାବାଦ୍ ବିଧବା ଓ ସ୍ୱାମୀ ପରିତ୍ୟକ୍ତାମାନେ ଫ୍ୟାମିଲି ପେନ୍ସନ ପାଇବାକୁ ରହିଥିବାବେଳେ ଦିବ୍ୟାଙ୍ଗ ଝିଅ ବାହାଘର ପରେ ଏଣିକି ପେନ୍ସନ ପାଇପାରିବ। ଏହାବାଦ୍ ପେନ୍ସନ ନିୟମରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଅଣାଯାଇଛି ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଦର୍ଶାଇଛନ୍ତି।
Comments are closed, but trackbacks and pingbacks are open.