ନୂଆ-ଓ’ ଆଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧକାର କରିବାର ସରକାରୀ ଧମକ ଦିଆଯାଉଛି: ଅନିଲ ବିଶ୍ୱାଳ

261

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଏ ଅଧିକାର କିଏ ଦେଲା ଯେ, ସରକାର ନିଜର ପ୍ରଚାର ପ୍ରସାର ପାଇଁ ସମଗ୍ର ଓଡିଶାର କଲେଜର ପାଠପଢା ଓ ପରୀକ୍ଷାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇପାରିବେ? ଓଡିଶାର ଶିକ୍ଷିତ ଯୁବଗୋଷ୍ଠୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଏକ ସୁଚିନ୍ତିତ ଷଡଯନ୍ତ୍ର ରଚିଛନ୍ତି । ଗୋଟିଏ ପଟରେ ଚାକିରୀ ଆଶାରେ ହଜାର ହଜାର ପଢୁଆ ଯୁବଗୋଷ୍ଠୀ ଆଜି ରାଜରାସ୍ତାରେ ଆନ୍ଦୋଳନରତ । ଅନ୍ୟପଟରେ ରାଜ୍ୟ ସାରା ସମସ୍ତ କଲେଜରେ ପାଠ ପଢା ବନ୍ଦ କରି, ପରୀକ୍ଷା ବାତିଲ୍ କରି ‘ନୂଆ-ଓ’ କୁ ବାଧ୍ୟତାମୂଳକ କରି ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛନ୍ତି । କେଉଁ ଅଧିକାରରେ ସରକାର ଏପରି ନିଷ୍ପତ୍ତି ନେଉଛନ୍ତି ଏହାର ଉତ୍ତର ସରକାର ଦିଅନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ‘ନୂଆ-ଓ’ ପାଇଁ ଦୁଇ ଦୁଇ ଥର ପରୀକ୍ଷା ବାତିଲ୍‌ କରାଯାଇଛି । ଗଙ୍ଗାଧର ମେହେର୍ ବିଶ୍ୱବିଦ୍ୟାଳୟରେ ‘ନୂଆ-ଓ’ ପାଇଁ ମଧ୍ୟ ପରୀକ୍ଷା ବାତିଲ୍ କରାଯାଇଛି । ସେହିଭଳି ବିଭିନ୍ନ କଲେଜର ଅଧ୍ୟକ୍ଷ ମାନଙ୍କର ହ୍ୱାର୍ଟସପ୍ ଚାର୍ଟ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି ଯେଉଁଥିରେ ପିଲାମାନଙ୍କୁ ଧମକ ଦିଆଯାଉଛି ଯେ, ଯଦି ‘ନୂଆ-ଓ’ ଫେଷ୍ଟ୍‌ରେ ସାମିଲ୍ ନହେବେ ତାହେଲେ ପ୍ରାକ୍ଟିକାଲ୍ ମାର୍କ ଓ ପରୀକ୍ଷା ମାର୍କ କାଟିଦିଆଯିବ । ସରକାରଙ୍କ ପାଇଁ ‘ନୂଆ-ଓ’ ବେଶୀ ପ୍ରାଥମିକତା ନା କଲେଜର ପାଠପଢା ଓ ପରୀକ୍ଷା ବେଶୀ ପ୍ରାଥମିକତା ତାହା ସରକାର ସ୍ପଷ୍ଟ କଲେ ଭଲହୁଅନ୍ତା ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି ।

‘ନୂଆ-ଓ’ ରେ ଯୋଗ ନଦେଲେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ମାର୍କ କାଟିଦେବାର ଧମକ ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଅତ୍ୟାଚାର ଯାହାକି ଅକ୍ଷମଣୀୟ । ଏଭଳି ଧମକପୂର୍ଣ୍ଣ ଚେତାବନୀ ସାରା ରାଜ୍ୟରେ ଅଭିଭାବକ ମନରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଏହା ଏଭଳି ଏକ ଚିନ୍ତାଜନକ ବିଷୟ ଯାହାକୁ ଯେତେ ନିନ୍ଦା କଲେ ବି କମ୍ ପଡିବ । ଓଡିଶାର ଭବିଷ୍ୟତ ଯୁବପିଢୀଙ୍କୁ ପଥଭ୍ରଷ୍ଟ କରିବାପାଇଁ ସରକାରଙ୍କର କିଛି ଅଣଓଡିଆ ଅଧିକାରୀମାନେ ଷଡଯନ୍ତ୍ର କରିଛନ୍ତି । ‘ନୂଆ-ଓ’ ଆଳରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧକାର କରିବା ପାଇଁ ଧମକ ଦିଆଯାଉଛି । ପରୀକ୍ଷା ପାଠପଢା ବନ୍ଦ କରାଇ ମଂଚରେ ‘ମାହାଲମାଣ୍ଡା’ ଗୀତରେ ନାଚଗୀତ କରାଯାଉଛି ।

Comments are closed, but trackbacks and pingbacks are open.