ସମସ୍ତ ସରକାରୀ ସ୍କୁଲ ଶନିବାର ସାଢ଼େ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ନିର୍ଦ୍ଦେଶ

122

ଖୋର୍ଦ୍ଧା: ଏଣିକି ଶନିବାର ସାଢେ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ। ଏନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଏନେଇ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି।

ଚିଠିରେ ଲେଖା ଅଛି ଯେ, ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳୀନ ପଣ୍ଡିତ ଖୋର୍ଦ୍ଧା ଗସ୍ତରେ ଆସିଥିବା ବେଳେ ବେଗୁନିଆ ବ୍ଳକର ବିଭିନ୍ନ ପ୍ରାଥମିକ ସ୍କୁଲ ପରିଦର୍ଶନରେ ଯାଇଥିଲେ। ସେଠାରେ କିଛି ପ୍ରାଥମିକ ସ୍କୁଲ ୧୧ଟା ସୁଦ୍ଧା ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ଶନିବାର ଠିକ୍‌ ଭାବେ ସ୍କୁଲ ପରିଚାଳନା ହେଉ ନ ଥିବା ଦେଖିଥିଲେ। ତାହାକୁ ନେଇ ସଚିବ ବିରକ୍ତି ପ୍ରକାଶ କରିଥିଲେ। ଶିକ୍ଷାଗତ କ୍ୟାଲେଣ୍ଡର, ୨୦୨୫-୨୬ରେ ନିର୍ଦ୍ଦିଷ୍ଟ ସମସ୍ତ କାର୍ଯ୍ୟକଳାପ ବିଶେଷକରି ଶନିବାର ସ୍କୁଲ ସମୟ ସମ୍ପର୍କରେ କଡ଼ା ଅନୁପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ଶନିବାର ଦିନ ୧୨:୩୦ ଟା ପୂର୍ବରୁ କୌଣସି ବିଦ୍ୟାଳୟ ବନ୍ଦ କରାଯିବ ନାହିଁ। ଏହି କ୍ଷେତ୍ରରେ ଯେକୌଣସି ବିଚ୍ୟୁତିକୁ ଗମ୍ଭୀରତାର ସହ ବିଚାର କରାଯିବ ଏବଂ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବ୍ଲକର ବିଇଓମାନେ ଦାୟୀ ରହିବେ।

Comments are closed, but trackbacks and pingbacks are open.