ଜୀବନ ରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ: ୧୮ ମାସରେ ଗଡ଼ିଲାଣି ୪୨୮ ନୂଆ ଆମ୍ବୁଲାନ୍ସ

65

ଭୁବନେଶ୍ୱର: ରାଜ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାକୁ ଅଧିକ ବେଗବାନ କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିଗତ ୧୮ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ୪୨୮ଟି ନୂଆ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ହୋଇଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ୧୦୮ ଆମ୍ବୁଲାନ୍ସ ସେବାରେ ବିଳମ୍ବ ହେଉଥିବା ନେଇ ପ୍ରଶ୍ନ ଉଠାଇଥିଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ। ସେ ନିଜର ଏକ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ, ଏକ ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ସେ ନିଜ ଗାଡ଼ିରେ ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ। ବିଶେଷ କରି ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଏପରି ଅବହେଳା କାହିଁକି ହେଉଛି, ସେ ନେଇ ସେ ତଦନ୍ତ ଦାବି କରିଥିଲେ। ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ପୂର୍ବରୁ କିଛି ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚିବାରେ ସମସ୍ୟା ରହିଥିଲା। ବର୍ତ୍ତମାନ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ୩୦ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି, କିନ୍ତୁ ସରକାର ଏହି ଅପେକ୍ଷା ସମୟକୁ ଆହୁରି କମାଇବା ପାଇଁ ଯୋଜନା କରୁଛନ୍ତି। ପ୍ରତି ଡାକ୍ତରଖାନାରେ କିପରି ଆମ୍ବୁଲାନ୍ସ ମହଜୁଦ୍ ରହିବ ଏବଂ ରୋଗୀଙ୍କ ନିକଟରେ ଶୀଘ୍ର ପହଞ୍ଚିବ, ସେ ନେଇ ବିଭାଗ ଗୁରୁତ୍ୱ ଦେଉଛି। ସେବାକୁ ସ୍ୱଚ୍ଛ କରିବା ପାଇଁ ସମସ୍ତ ଗାଡ଼ିରେ ବିଶ୍ୱସ୍ତରୀୟ ଭୂ-ଅବସ୍ଥିତି ନିର୍ଣ୍ଣୟ ପ୍ରଣାଳୀ ବା ଜିପିଆରଏସ୍ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ସ୍ଥାନରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚେ କିମ୍ବା କର୍ମଚାରୀ ଅବହେଳା କରନ୍ତି, ତେବେ ତଥ୍ୟ ଆଧାରରେ କଠୋର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Comments are closed, but trackbacks and pingbacks are open.