ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ଅଂଶୁଘାତକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଆସନ୍ତା ଏପ୍ରିଲ ୧ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରା ସମୟ ଅର୍ଥାତ୍ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଶ୍ରମିକଙ୍କୁ କାମ କରିବା ମନା କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଏ ନେଇ ସମସ୍ତ ରାଜସ୍ୱ କମିଶନର, ଜିଲ୍ଲାପାଳ ଓ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିୟମ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା, ଦୋକାନ ଓ ବେସରକାରୀ ନିଯୁକ୍ତିଦାତାଙ୍କ ପାଇଁ ଲାଗୁ ହେବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସମେତ ଠିକାଦାରମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ମାନିବାକୁ କୁହାଯାଇଛି। ଶ୍ରମିକମାନଙ୍କୁ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଣ୍ଟ ବା ସମୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଜରୁରୀ କାର୍ଯ୍ୟ ଥାଏ, ତେବେ ଶ୍ରମିକଙ୍କ ସୁରକ୍ଷା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed, but trackbacks and pingbacks are open.