ସରକାରୀ ପାଣ୍ଠି ତୋଷରପାତ ମାମଲା : ୬ ବର୍ଷ ପରେ ଗିରଫ ହେଲା ଯାଜପୁର ତହସିଲ ଆକାଉଣ୍ଟାଣ୍ଟ

35

୫କୋଟି ଟଙ୍କାର ସରକାରୀ ପାଣ୍ଠି ତୋଷରପାତ ମାମଲା ରେ ଯାଜପୁର ତହସିଲର ପୂର୍ବତନ ଆକାଉଣ୍ଟାଣ୍ଟ ଗିରଫ I ଦୀର୍ଘ ୬ ବର୍ଷପରେ ପୂର୍ବତନ ଆକାଉଣ୍ଟାଣ୍ଟ ଶ୍ରୀ ରଜତ କୁମାର ରାଉତରାୟ ଗିରଫ କରିଛି ଭିଜିଲାନ୍ସ I ୨୦୦୬ରୁ ୨୦୧୬ ମସିହା ଭିତରେ ଯାଜପୁର ତହସିଲରେ ସୈରାତ ନିଲାମ ଅର୍ଥ, ଜରୁରୀକାଳୀନ ବିଭାଗର ସହାୟତା ରାଶି ଓ ଖଜଣା ଅର୍ଥ ଦୁର୍ନୀତି ହୋଇଥିଲା। ମୋଟ୍‌ ୪ କୋଟି ୯୫ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିଲା। ସ୍ପେଶାଲ ରେଭିନ୍ୟୁ ଅଡିଟ୍‌ ବେଳେ ଏହି ଜାଲିଆତି ଧରା ପଡ଼ିଥିଲା। ୧୦ ବର୍ଷ ଭିତରେ ତହସିଲରେ କାର୍ଯ୍ୟରତ ୭ ଜଣ ତହସିଲ୍‌ଦାର, କ୍ୟାସିୟର, କିରାଣୀ ଓ ଆକାଉଣ୍ଟାଣ୍ଟ ରଜତ ରାଉତରାୟଙ୍କୁ ମିଶାଇ ୨୦ ଜଣ ଏହି ଦୁର୍ନୀତିରେ ଲିପ୍ତ ଥିବା ସ୍ପଷ୍ଟ ହୋଇଥିଲା।

ଅଡିଟ ରିପୋର୍ଟ ଆଧାରରେ ଭିଜିଲାନ୍ସ ଟିମ ଅନୁସନ୍ଧାନ ଆରମ୍ଭ କରିଥିଲେ। ଅଡିଟ୍ ଆରମ୍ଭ ହେବା ମାତ୍ରେ ରଜତ ଫେରାର ହୋଇଯାଇଥିଲା Iଏହାପରେ ରଜତ କୁ ଚାକିରିରୁ ବହିସ୍କୃତ କରାଯାଇଥିଲା I ମାମଲାରେ ପୂର୍ବତନ ତହସିଲଦାରଙ୍କ ସଂପୃକ୍ତି ଥିବା ମଧ୍ୟ ଅଭିଯୋଗ ରହିଛି । କିଛି ଅଭିଯୁକ୍ତ ଆଗୁଆ ଜାମିନ୍ ପାଇସାରିଛନ୍ତି I ତେବେ ଏହି ଘଟଣାରେ ରଜତ ରାଉତରାୟ ମାଷ୍ଟର ମାଇଣ୍ଡ ଥିଲା ବୋଲି ଅନୁସନ୍ଧାନ ରୁ ଜଣାପଡ଼ିଥିଲା I

ପ୍ରକାଶ ଥାଉକି, ଏକ ମାସ ପୂର୍ବରୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା I ଅନୁସନ୍ଧାନରୁ ଜଣାପଡିଥିଲା ଯେ ରଜତ କଟକ ସିଡିଏ ଅଞ୍ଚଳରେ ଏକ ଭଡ଼ା ଘରେ ଦ୍ୱିତୀୟ ପତ୍ନୀଙ୍କ ସହ ରହୁଛି । ତେବେ ନିଜ ପରିଚୟକୁ ବାରମ୍ବାର ପରିବର୍ତ୍ତନ କରୁଥିଲେ। ନିଜ ପରିବାର ଓ ସଂପର୍କୀୟଙ୍କ ସହ ସଂପର୍କ ଛିନ୍ନ କରିଥିବା ଜଣାପଡ଼ିଛି। କମ ବ୍ୟବଧାନରେ ନିଜର ଠିକଣା ଓ ମୋବାଇଲ ନମ୍ବର ବାରମ୍ବାର ବଦଳାଉଥିବାରୁ ତାଙ୍କୁ ଧରିବା ସମ୍ଭବ ହେଉନଥିଲା I ଯେତେବେଳେ ଭିଜିଲାନ୍ସ ଦଳ ରଜତ ଙ୍କ ଘରେ ପହଞ୍ଚିଲା, ସେତେବେଳେ ସେ ଘରେ ତାଲାଦେଇ ଏକ ପାଇପଲାଇନ ଚଢ଼ି ଟେରାସ ତଳେ ଲୁଚି ରହିଥିଲା । ତେବେ ଭିଜିଲାନ୍ସ ଟିମ୍ ତାଙ୍କୁ ସେଠାରୁ ଗିରଫ କରିବାରେ ସଫଳ ହୋଇଥିଲା। ରଜତ ରାଉତରାୟ ନାମରେ ତିନୋଟି ମାମଲା ରୁଜୁହୋଇ ଗିରଫ କରାଯାଇଛି I ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଅଧିକ ଅନୁସନ୍ଧାନ ଜାରି ରହିଛି I

Comments are closed, but trackbacks and pingbacks are open.