ବିଜେପି ନେତାଙ୍କ ଘରୁ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

33

ବିଜେପି ନେତାଙ୍କ ଘରୁ ୬ ହଜାର ଶାଢୀ । ୯ ହଜାର ସ୍କୁଲ ବ୍ୟାଗ ଜବତ । ଭୋଟରଙ୍କୁ ବାଣ୍ଟିବା ନେଇ ଆଣିଥିବା ଅଭିଯୋଗ । ଜବତ ପରେ ବଢିଲା ରାଜନୈତିକ ତାତି । ଆଗକୁ କର୍ଣ୍ଣାଟକ ନିର୍ବାଚନ ଥିବା ବେଳେ ରୋଚକ ହେଲାଣି ରାଜ୍ୟ ରାଜନୀତି । ବିଜେପି ଏମ.ଏଲ.ସିଙ୍କ ଘରୁ ମିଳିଲା ସାମଗ୍ରୀର ଭଣ୍ଡାର । କମର୍ସିଆଲ ଟାକ୍ସ ଅଧିକାରୀ, ଆର ଶଙ୍କରଙ୍କ ହୈବେରୀ ଜିଲ୍ଲାର ରାଣେବେତ୍ରୁର ଘରେ ଛାପା ମାରିଥିଲେ । ଏହି ସମୟରେ ଟିମର ସଦସ୍ୟ ତାଙ୍କ ଘରୁ ୬ ହଜାର ଶାଢୀ, ୯ ହଜାର କଲେଜ ଏବଂ ସ୍କୁଲ ବ୍ୟାଗ, ଘରେ ବ୍ୟବହାର ହେଉଥିବା ପ୍ଲେଟ ଜବତ କରିଛି ।

ଆନୁମାନିକ ଭାବେ ଏହି ସାମଗ୍ରୀର ଦାମ ୨୦ରୁ ୩୦ ଲକ୍ଷ ଟଙ୍କା କୁହାଯାଉଛି । ଏମଏଲସିଙ୍କ ଘରେ ପାଖାପାଖି ୭ ଘଣ୍ଟା ରେଡ ଜାରି ରହିଥିଲା । ଜବତ ହୋଇଥିବା ସମସ୍ତ ସାମଗ୍ରୀ ପୋଲିସକୁ ପ୍ରଦାନ କରାଯାଇଛି । ଏ ସମସ୍ତ ସାମଗ୍ରୀ କ୍ରୟ ଉପରେ ଜିଏସଟିର ବିଲ ମଧ୍ୟ ମାଗିଛନ୍ତି ଅଧିକାରୀ । ଆର ଶଙ୍କର ଏ ବାବଦରେ ବିଲ ପ୍ରଦାନ ପାଇଁ ତିନି ଦିନର ସମୟ ମଧ୍ୟ ମାଗିଛନ୍ତି । ଏହି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଏମଏଲସି ଥିବା ଆର ଶଙ୍କର ନିର୍ବାଚନ ସମୟରେ ମତଦାତାଙ୍କୁ ଏହି ସାମଗ୍ରୀ ବାଣ୍ଟିବା ପାଇଁ ରଖିଥିବା ଅଭିଯୋଗ ହୋଇଥିଲା । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଭୋଟ୍ ଦେବା ପାଇଁ ଶଙ୍କର ଏହି ଜିନିଷ ସଂଗ୍ରହ କରିଥିଲେ ।

ଏ ପ୍ରସଙ୍ଗରେ କର୍ଣ୍ଣାଟକ ସିଏମ ବାସଭାରାଜ ବୋମ୍ମାଇ କହିଛନ୍ତି ଯେ, ପ୍ରଶାସନ ଏହାର କାର୍ଯ୍ୟ କରୁଛି, ଯଦି ଏସବୁ ଭୁଲ ନୁହେଁ, ତେବେ ସେମାନେ ଏହା ସହ ଜଡିତ ସମସ୍ତ ଦଲିଲ ଦେଖାଇ ନିଜର ପକ୍ଷ ଦେଖାଇ ପାରିବେ । ତେବେ ଗତ ୪ ତାରିଖ ଦିନ ମଧ୍ୟ ବିଜେପି ବିଧାୟକ କେ. ମାଦଲ୍ ବିରୁପାକ୍ଷାପାଙ୍କ ପୁଅଙ୍କ ଘରୁ ନଗଦ ୮ କୋଟି ୧୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଯାହାକୁ ନେଇ ମଧ୍ୟ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା ।

Comments are closed, but trackbacks and pingbacks are open.