ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର। ଦୀର୍ଘ ୧୦ବର୍ଷ ପରେ ପ୍ରଥମ ଥର ପାଇଁ ଶନିବାର ପ୍ରାଣୀ ଉଦ୍ୟାନ କୁମ୍ଭୀର ପ୍ରଜନନ କେନ୍ଦ୍ରର କୁମ୍ଭୀର ଟାଙ୍କି ପାଖ ଅଣ୍ଡା ଉଷୁମାଉଥିବା ଘରେ ଥିବା ମାଈ ଘଡି଼ଆଳ ଦେଇଥିବା ଅଣ୍ଡାରୁ ଛୁଆ ଫୁଟିଛନ୍ତି। ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଅଣ୍ଡାରୁ ପ୍ରଥମ ପର୍ଯ୍ୟାୟରେ ୧୪ଟି ଛୁଆ ଫୁଟିଛନ୍ତି। ତେବେ ଏହି ଛୁଆଗୁଡ଼ିକ ସୁସ୍ଥ ଅଛନ୍ତିି। ଜନ୍ମିତ ଛୁଆଙ୍କ ଓଜନ ୮୦ରୁ ୮୫ଗ୍ରାମ୍, ଲମ୍ବ ୨୬.୫ରୁ ୨୭.୫ ସେ.ମି ମଧ୍ୟରେ ଥିବା ପ୍ରାଣୀ ଉଦ୍ୟାନର ଜଣେ ବନ୍ୟପ୍ରାଣୀ ଚିକିତ୍ସକ କହିଛନ୍ତି। ସୂଚନାଯୋଗ୍ୟ, ୧୯୮୧ମସିହାରେ ପ୍ରାଣୀ ଉଦ୍ୟାନରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଖୋଲିଥିଲା। ୨୦୧୫ ମସିହାରେ ଅଣ୍ଡିରା ଘଡ଼ିଆଳ କୁମ୍ଭୀରମାନଙ୍କୁ ବିଭିନ୍ନ ଚିଡ଼ିଆଖାନାକୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରଦାନ କରାଯିବା ଏବଂ ବିଭିନ୍ନ ରୋଗରେ ମୃତ୍ୟୁ ଘଟିବା କାରଣରୁ ଘଡ଼ିଆଳ କୁମ୍ଭୀରଙ୍କ ପ୍ରଜନନ କ୍ଷେତ୍ରରେ ରୋକ୍ ଲାଗିଥିଲା। ୨୦୨୧ରେ ରାଜସ୍ଥାନ ଜୟପୁର ନହରଗଡ଼ ଚିଡ଼ିଆଖାନାରୁ ଅଣ୍ଡିରା ଘଡ଼ିଆଳ କୁମ୍ଭୀର ଆସିବା ପରେ ନନ୍ଦନକାନନରେ ରହୁଥିବା ମାଈ ଘଡ଼ିଆଳ କୁମ୍ଭୀରଙ୍କ ସହିତ ମିଳନ କରାଯାଇଥିଲା। ଫଳସ୍ୱରୂପ ପ୍ରଥମ ଥର ପାଇଁ ୧୪ ଘଡ଼ିଆଳ କୁମ୍ଭୀର ଛୁଆ ଫୁଟିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଘଡ଼ିଆଳ କୁମ୍ଭୀର ଶୀତଋତୁ ଶେଷରେ ସଙ୍ଗମ କରି ଗ୍ରୀଷ୍ମକାଳରେ ନଦୀ ବାଲିରେ ଗାତ ଖୋଳି ପ୍ରାୟ ୩୦ରୁ ୫୦ ପାଖାପାଖି ଅଣ୍ଡା ଦେଇଥାନ୍ତି। ଦୁଇରୁ ଅଢ଼େଇ ମାସ ମଧ୍ୟରେ ଅଣ୍ଡା ଫୁଟି ଛୁଆ ବାହାରନ୍ତି।
Comments are closed, but trackbacks and pingbacks are open.