*ଚାଲିଗଲେ ମିହିର…**ରହିଗଲା ଅଵସୋସ*

18

*ଚାଲିଗଲେ ମିହିର…**ରହିଗଲା ଅଵସୋସ*
ମିହିର ଦାସ… କେବଳ ନାଁ ହିଁ ଯଥେଷ୍ଟ ।ନିଜ ଅଭିନୟର ପାର ଦର୍ଶିତା ଯୋଗୁ ଓଡ଼ିଶାର ପ୍ରତ୍ୟେକ ଦର୍ଶକ ତାଙ୍କୁ  ନିଜ ପରିବାର ଲୋକ ବୋଲି ଭାବି ନେଇଥିଲେ । ନାୟକ ଚରିତ୍ରରୁ ଆରମ୍ଭ କରି ଖଳନାୟକ ପର୍ଯ୍ୟନ୍ତ ସବୁ ଚରିତ୍ରରେ କରି ପାରୁଥିଲେ ଜୀବନ୍ତ ଅଭିନୟ । ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ସେ ଥିଲେ ଜଣେ ମାଇଲଖୁଣ୍ଟ । ଖାଲି ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର ନୁହେଁ ଅନେକ କଳାତ୍ମକ ସିନେମାରେ ତାଙ୍କର ନିଖୁଣ ଅଭିନୟ ଦର୍ଶକମାନଙ୍କୁ ବାନ୍ଧି ରଖୁଥିଲା ।ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ରଚିତ the trunk of Ganesha ର କାହାଣୀକୁ ନେଇ ପ୍ରଖ୍ୟାତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ‘ମାଟିର ବନ୍ଧନ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ନିଜର ସମସ୍ତ ଅଭିନୟ ଚାତୁରୀକୁ ପ୍ରଦର୍ଶନ କରିଥିଲେ ମିହିର ଦାସ । କଟକ ସହରର ପରିବେଶକୁ ସଠିକ ଭାବରେ ଏହି ସିନେମାରେ ପ୍ରଦରସିତ କରାଯାଇଥିଲା ।କଟକର ମୂର୍ତ୍ତିକା ଶିଳ୍ପୀଙ୍କ ଜୀବନକୁ ନେଇ ଏହି  ସିନେମାଟି ଖୁବ ସୁନ୍ଦର ଭାବେ ତିଆରି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୁକ୍ତିଲାଭ କରି ପାରିନାହିଁ ।  ଏହି ସିନେମାଟିକୁ ଲୋକଲୋଚନକୁ ଆଣିବା ପାଇଁ  ମିହିର ଦାସ  ସେହି ଚଳଚିତ୍ର ରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କ ଦସ୍ତଖତ ନେଇ ସରକାର ଙ୍କ ପାଖରେ ଅନୁରୋଧ କରିଥିଲେ ।ଏହା ସହ ନିଜ ପ୍ରଚେଷ୍ଟା ରେ  ଏହାକୁ ଲୋକ ଲୋଚନ କୁ ଆଣିବା ପାଇଁ କୋର୍ଟରେ ମକୋଦମା ମଧ୍ୟ କରିଥିଲେ।ଜୀବନର ଶେଷ ପର୍ଯ୍ୟନ୍ତ ଏହି ଚଲଚିତ୍ର କୁ ଲୋକ ଲୋଚନକୁ ଆଣିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୱ ସଫଳ ହୋଇ ପାରିନଥିଲେ । ଏକଦା ମିହିର ଦାସ କହିଥିଲେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଅଭିନୀତ ସିନେମା ହେଉଛି ‘ମାଟିର ବନ୍ଧନ’। ଜଣେ ଭଲ କଳାକାର କେବେବି ନିଜ ଅଭିନୟରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଆଉ ମିହିର ଦାସଙ୍କ ଭଳି ଅଭିନେତା ଯଦି ଏପରି ମନ୍ତବ୍ୟ ଦେଇଛନ୍ତି ତେବେ ନିଶ୍ଚିତ ଭାବେ ଏହା ଏକ ବହୁତ ବଡ଼ କଥା । 
କିନ୍ତୁ ବିଡ଼ମ୍ବନା ର ବିଷୟ ଏହି ସିନେମାର ପ୍ରଯୋଜକ ଆଇନର ଜାଲରେ ଛନ୍ଦି ହୋଇଯାଇଥିବାରୁ ଏହି ସିନେମାଟି ଓଡ଼ିଶାରେ ମୁକ୍ତିଲାଭ କରିପାରିନଥିଲା ।
ଏହି ଚଳଚିତ୍ର ଟି ସେନ୍ସର ହେବା ପୂର୍ବରୁ ମୁମ୍ବାଇ ଚଳଚିତ୍ର ଉତ୍ସବ ଓ ବାଂଲୋର ଚଳଚିତ୍ର ଉତ୍ସବ ରେ ପ୍ରଦର୍ଶିତ ହୋଇ ଅନେକ ଦର୍ଶକୀୟ ଆଦୃତି ଲାଭ କରିଥିଲା ।ତାଙ୍କରି ସ୍ମୃତିକୁ ତାଙ୍କରି ଇଚ୍ଛାକୁ ଉଜ୍ଜୀବିତ କରି ରଖିବା ପାଇଁ ସରକାର ‘ମାଟିର ବନ୍ଧନ’ ଚଳଚ୍ଚତ୍ରକୁ ଖୁବ ଶୀଘ୍ର ମୁକ୍ତିଲାଭ କରିବା ଆବଶ୍ୟକ ବୋଲି ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଦାବି କରାଯାଉଛି । କାରଣ ବଞ୍ଚିଥିବା ବେଳେ ଓ ପରଲୋକ ବେଳେ ଏଇ ଓଡ଼ିଶାର ଲୋକେ ତାଙ୍କୁ କେତେ ଭଲ ପାଆନ୍ତି ସେକଥା ସ୍ପଷ୍ଟ ହୋଇ ସାରିଛି । ତାଙ୍କ ଆବର୍ତମାନରେ ସାରା ରାଜ୍ୟରେ ଆଜି ଶୋକାକୁଳ ପରିବେଶ ଦେଶର ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ସମସ୍ତେ ଶୋକ ପ୍ରକାଶ କରିଛନ୍ତି ଯଦି
ତାଙ୍କ ବଳିଷ୍ଠ ଅଭିନୟର ଆଉ ଏକ ଦିଗକୁ ଦେଖାଇବା ଓ  ‘ମାଟିର ବନ୍ଧନ’ ସିନେମା ଭଳି ଏକ ଅନନ୍ୟ କୃତିକୁ ଦର୍ଶକଙ୍କ ନିକଟରେ ପହଞ୍ଚାଯାଇପାରିବ ତାହେଲେ  ତାହା ହେବ ମିହିର ଦାସଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Leave A Reply

Your email address will not be published.