ସାକ୍ଷରତାରୁ ଉର୍ଦ୍ଧ୍ୱକୁ ଯାଇ ‘ଜ୍ଞାନ ଆଧାରିତ ଅର୍ଥନୀତି’ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ

190

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ “ବିବିତ୍ସା ୱାର୍ଲ୍ଡ ସ୍କୁଲ” ଉଦଘାଟିତ

ସମ୍ବଲପୁର, ଡିସେମ୍ବର ୨୩, ୨୦୨୫ – ସମ୍ବଲପୁର ଜିଲ୍ଲାରେ ସାକ୍ଷରତାରୁ ଉର୍ଦ୍ଧ୍ୱକୁ ଯାଇ ‘ଜ୍ଞାନ ଆଧାରିତ ଅର୍ଥନୀତି’ ତିଆରି କରିବା ଆମର ମୂଳ ଲକ୍ଷ୍ୟ ବୋଲି ମଙ୍ଗଳବାର ସମ୍ବଲପୁରର ଭାଲୁକୁନ୍ଦା ଠାରେ ନିନିର୍ମିତ “ବିବିତ୍ସା ୱାର୍ଲ୍ଡ ସ୍କୁଲ”କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଓଡ଼ିଶାର ପଶ୍ଚିମାଞ୍ଚଳର ଏହି ପ୍ରାଣକେନ୍ଦ୍ରରେ ଶିକ୍ଷାର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବା ସମଗ୍ର ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ ହେବ । ସମ୍ବଲପୁର ଜିଲ୍ଲାରେ ଆଇଆଇଏମ, ଭିମସାର ମେଡିକାଲ, ଭିସୁଟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ଏହାର ବିଶେଷତ୍ୱ ବହନ କରୁଥିବା ବେଳେ ଏବେ ‘ବିବିତ୍ସା ୱାର୍ଲ୍ଡ ସ୍କୁଲ’ ଏହି ଗୌରବମୟ ଯାତ୍ରାରେ ସାମିଲ ହୋଇଛି । ବର୍ତ୍ତମାନ ସମୟରେ ଏଆଇ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ନୂଆ ରୂପ ନେଉଥିବା ବେଳେ ଆମର ମୂଳ ଲକ୍ଷ୍ୟ ହେଉଛି, ସାକ୍ଷରତାର ସୀମା ଅତିକ୍ରମ କରି ଏକ ‘ଜ୍ଞାନ ଆଧାରିତ ଅର୍ଥନୀତି’ ଗଠନ କରିବା, ଯେଉଁଥିରେ ଏହି ଅନୁଷ୍ଠାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏ ଦିଗରେ ବିବିତ୍ସା ଭଳି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ସାରା ଦୁନିଆର ପ୍ରଗତିର ମୂଳମନ୍ତ୍ର ହେଉଛି ଭାଷା । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଅନୁଯାୟୀ ଭାରତୀୟତା ଏବଂ ମାତୃଭାଷାକୁ ପ୍ରାଧାନ୍ୟ ଦେଇ ଆମର ନୂତନ ପିଢ଼ିର ସର୍ବାଙ୍ଗୀନ ବିକାଶ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ସମ୍ବଲପୁରକୁ ଶିକ୍ଷା ଓ ବୈଷୟିକ କ୍ଷେତ୍ରରେ ଷ୍ଟାନଫୋର୍ଡ ଏବଂ ସିଲିକନ ଭ୍ୟାଲିଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଭାବେ ଗଢ଼ିତୋଳିବା ଆମର ମୁଖ୍ୟ ଲକ୍ଷ୍ୟ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମାତୃଭାଷାକୁ ଅଗ୍ରାଧିକାର ଦେବା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘କ୍ରିଟିକାଲ ଥିଙ୍କିଂ’ର ବିକାଶ କରିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ସ୍କୁଲ ପରିଦର୍ଶନ କରିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ, ଲ୍ୟାବ, ଖେଳ ପଡ଼ିଆ ବୁଲି ଦେଖିଥିଲେ ।

Comments are closed, but trackbacks and pingbacks are open.