ଶୁଭାରମ୍ଭ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା

237

ଭୁବନେଶ୍ବର: ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା ଏବଂ ଏହି ପରିକଳ୍ପନାରେ ଆଜି ଶୁଭାରମ୍ଭ ହୋଇଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ, କାରଣ ଆଜିର ବିଦ୍ୟାର୍ଥୀ ମାନେ ହେଲେ ଆସନ୍ତା କାଲିର ନାଗରିକ ଓ ରାଷ୍ଟ୍ର ନିର୍ମାତା। ବିଦ୍ୟାର୍ଥୀ ମାନଙ୍କ ପାଠପଢ଼ାର ମୂଳଦୁଆକୁ ସଶକ୍ତ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ଏବଂ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଏହା ଏକ ମାଇଲଖୁଣ୍ଟ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଣପୁର ଠାରେ ରାଜ୍ୟ ସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୩୦ଟି ଜିଲ୍ଲାପାଇଁ ୧୧୮ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ଆସନ୍ତା ୪ ବର୍ଷରେ ରାଜ୍ୟର ଗ୍ରାମପଞ୍ଚାୟତ ଗୁଡିକରେ ୨୨ ଶହ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରରେ ଥିଲେ ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଲେଖକ ଓ ଶିକ୍ଷାବିତ୍। ତାଙ୍କ ନାମରେ ନାମିତ ଏହି ଆଦର୍ଶ ବିଦ୍ୟାଳୟ ଯୋଜନା ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର କାୟାକଳ୍ପ କରିବାରେ ସଫଳ ହେବ। ଏହି ଯୋଜନାରେ ପିଲାମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ମିଳିବା ସହିତ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ସୁଦୃଢ ହେବ।

Comments are closed, but trackbacks and pingbacks are open.