ଗିରିବାଳା ବେହେରାଙ୍କୁ CMC ମେୟର ପ୍ରାର୍ଥୀ ପ୍ରାର୍ଥୀ ଭାବେ ଘୋଷଣା କଲା କଂଗ୍ରେସ

24

ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପୌର ନିର୍ବାଚନ । ଚଳିତ ମାସ ୨ ତାରିଖ ଠାରୁ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି I ମହାନଗର ନଗମ, ପୌରପାଳିକା, ଏନଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ସ୍ଥାନୀୟ ଏଡିଏମଙ୍କ ଅଫିସରେ ପ୍ରାର୍ଥୀପତ୍ର ଦାଖଲ ହେଉଛି । ସେହିଅନୁସାରେ କଂଗ୍ରେସ କଟକ (ସିଏମସି) ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କୁ ଉପସ୍ଥାପିତ କରିଛି । ପୌର ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ ଏହି ଘୋଷଣା କରାଯାଇଛି । ଏହାସହ ଖୁବଶୀଘ୍ର ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏ ସମ୍ପର୍କରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଏ ସଂପର୍କରେ ସୂଚନା ଦେଇଛନ୍ତି । କଟକର ୫୬ଟି କର୍ପୋରେଟର ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି । ମେୟର ପ୍ରାର୍ଥୀ ଭାବେ କଂଗ୍ରେସ ସଭାନେତ୍ରୀ ଗିରିବାଳାଙ୍କ ନାମ ସବୁଠାରୁ ଆଗରେ ରହିଥିଲା । କଟକର ମେୟର ପ୍ରାର୍ଥୀ ଭାବେ କଂଗ୍ରେସ ବାଛିଥିବା ଗିରିବାଳା ବେହେରା ଏବେ ପିସିସି ମହିଳା କଂଗ୍ରେସର ଉପସଭାପତି ରହିଛନ୍ତି । ଏହାଛଡା ଗିରିବାଳା ନଗର କଂଗ୍ରେସର ମଧ୍ୟ ଜଣେ ଟାଣୁଆ କର୍ମୀ । ଖାସକରି ଗତ ସାଧାରଣ ନିର୍ବାଚନରେ ଗିରିବାଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା । ପୂର୍ବରୁ ଥରେ କର୍ପୋରେଟର ଜିତିଥିବା ଗିରିବାଳାଙ୍କ ସାଙ୍ଗଠନିକ ଦକ୍ଷତା ଥିବାରୁ ତାଙ୍କୁ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ କରାଯାଇଛି । ପୌର ନିର୍ବାଚନ ପାଇଁ ୨ ତାରିଖ ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହିଭଳି ୨୪ ମାର୍ଚ୍ଚରେ ନିର୍ବାଚନ ହେବାକୁ ଥିବା ବେଳେ ୨୬ ମାର୍ଚ୍ଚରେ ଭୋଟ ଗଣତି ହେବ ।

Comments are closed, but trackbacks and pingbacks are open.