ନୂଆ ଦଳ ଗଠନ କଲେ ଗୁଲାମନବୀ

37

ଜମ୍ମୁ : କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦ୍‌  ନୂଆ ଦଳ ଗଠନ କରିଥିବା ଘୋଷଣା କରିଛନ୍ତି। ତେବେ ଦଳର ନାମ ଓ ଦଳୀୟ ସଙ୍କେତ ସମ୍ପର୍କରେ ଜନସାଧାରଣ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ରବିବାର ଦିଲ୍ଲୀରୁ ବାହାରି ଜମ୍ମୁ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେଠାରୁ ଏକ ଶୋଭାଯାତ୍ରାରେ ଗୁଲାମନବୀ ସୈନିକ କଲୋନୀସ୍ଥିତ ସଭାସ୍ଥଳକୁ ଯାଇଥିଲେ। ନିଜ ଉଦ୍‌ବୋଧନରେ ଗୁଲାମନବୀ କହିଥିଲେ ନୂଆ ଦଳର ପ୍ରଥମ ଶାଖା ଜମ୍ମୁ-କାଶ୍ମୀରରେ ଖୋଲିବ। ଜମ୍ମୁରେ ସାମ୍ପ୍ରଦାୟିକ ସଦ୍‌ଭାବନା ରକ୍ଷା କରିବା, ସ୍ଥାନୀୟ ଯୁବକଙ୍କୁ ରୋଜଗାର ଯୋଗାଇବା ସହ ଜମି ଅଧିକାର ପ୍ରଦାନ ଉପରେ ତାଙ୍କ ଦଳ ଗୁରୁତ୍ବ ଦେବ। ଅନ୍ୟପକ୍ଷରେ କଂଗ୍ରେସ ଦଳକୁ ସମାଲୋଚନା କରି ଗୁଲାମନବୀ କହିଥିଲେ କଂଗ୍ରେସ ଦଳକୁ ଦଳୀୟ କର୍ମୀମାନେ ନିଜ ରକ୍ତ ଦେଇ ଗଢ଼ିଛନ୍ତି ବୋଲି ନେତୃବର୍ଗ ଭୁଲିବା ଉଚିତ୍‌ ନୁହେଁ।
ଜମ୍ମୁ ବିମାନବନ୍ଦରରେ ନିକଟରେ ଗୁଲାମନବୀଙ୍କ ସ୍ବାଗତ ପାଇଁ ଶତାଧିକ ଲୋକ ଜମା ହୋଇଥିଲେ। ସେମାନେ ହାତରେ ପୋଷ୍ଟର, ବ୍ୟାନର୍‌ ଧରିଥିବା ଦେଖିବାକୁ ମିଳିଥିଲା। ସଭାସ୍ଥଳରେ ପାଖାପାଖି ୨୦ ହଜାର ଲୋକଙ୍କ ବସିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା। ସଭାରେ ଉପସ୍ଥିତ ୩ ହଜାର ଲୋକ ନୂଆ ଦଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସଭାରେ ଆଜାଦ ଆହୁରି କହିଥିଲେ ସେ କଂଗ୍ରେସର ବିଭିନ୍ନ ପଦରେ ଦୀର୍ଘ ବର୍ଷ ହେବ କାମ କରି ଆସୁଥିଲେ। ତେବେ ସେ ଯେତେବେଳେ କୌଣସି ପଦରେ ନ ଥିଲେ ଦଳ ତରଫରୁ ତାଙ୍କୁ ଅବହେଳା ପ୍ରଦର୍ଶନ କରାଯାଇଥିଲା।

Comments are closed, but trackbacks and pingbacks are open.