ସାବରମତୀରେ ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ

97

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ଫ୍ରେଡ୍ରିଚ୍ ମର୍ଜ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ସକାଳେ ମୋଦି ମର୍ଜଙ୍କୁ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ନେଇ ବୁଲାଇଛନ୍ତି। ଦୁଇ ନେତା ବାପୁଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଆଶ୍ରମ ବୁଲି ଦେଖିବା ପରେ ମର୍ଜ ଗେଷ୍ଟ ବୁକ୍ ରେ ହସ୍ତାକ୍ଷର କରିଛନ୍ତି। ମର୍ଜ ଲେଖିଛନ୍ତି ଯେ, “ମହାତ୍ମା ଗାନ୍ଧୀଙ୍କ ଅହିଂସା, ସ୍ୱାଧୀନତାର ଶକ୍ତିରେ ତାଙ୍କର ବିଶ୍ୱାସ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ମର୍ଯ୍ୟାଦା ପ୍ରତି ତାଙ୍କର ବିଶ୍ୱାସ ଆଜି ମଧ୍ୟ ଲୋକଙ୍କୁ ପ୍ରେରଣା ଦେଇ ଆସୁଛି। ଏହି ମାନସିକତା ନ୍ୟାୟ ଏବଂ ଆଲୋଚନାକୁ ପ୍ରୋତ୍ସାହିତ କରେ ଏବଂ ବିଶ୍ୱରେ ନୂଆ ଆଶା ସୃଷ୍ଟି କରେ। ପୂର୍ବ ଅପେକ୍ଷା ଗାନ୍ଧୀଙ୍କ ଆଦର୍ଶର ଏବେ ଅଧିକ ଆବଶ୍ୟକତା ରହିଛି।” ସାବରମତୀ ଆଶ୍ରମ ବୁଲିବା ପରେ ଚାନ୍ସେଲର ମର୍ଜ ସାବରମତୀ ରିଭରଫ୍ରଣ୍ଟରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ କାଇଟ୍ ଫେଷ୍ଟିଭାଲ୍ ରେ ଯୋଗ ଦେଇଥିଲେ। ସାଧାରଣ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଏହାପରେ ମୋଦିଙ୍କ ସହ ମିଶି ଗୁଡ଼ି ଉଡାଇଥିଲେ। ସୂଚନା ମିଳିଛି ଯେ, ଅନ୍ତରାଷ୍ଟ୍ରୀୟ ଗୁଡ଼ି ମହୋତ୍ସବ-୨୦୨୬ରେ ୫୦ ଦେଶର ୧୩୫ ଗୁଡ଼ି ଉଡ଼ାଳି ଏବଂ ୧୦୦୦ ଭାରତୀୟ ଗୁଡ଼ି ପ୍ରେମୀ ଭାଗ ନେଇଛନ୍ତି। ଜାନୁଆରୀ ୧୪ ଯାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ। ଗତବର୍ଷ ଏହି ମହୋତ୍ସବରେ ଗୁଜରାଟରେ ୩.୮୩ ଲକ୍ଷରୁ ଅଧିକ ପର୍ଯ୍ୟଟକ ସାମିଲ ହୋଇଥିଲେ।

Comments are closed, but trackbacks and pingbacks are open.