ଭୁବନେଶ୍ୱର: ସାମନ୍ତରାପୁର ଛକ ନିକଟରେ ଥିବା ଏକ କାଠଗୋଲା ଭିତରୁ ବିପୁଳ ପରିମାଣର ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଜିଲ୍ଲା ଯୋଗାଣ ବିଭାଗ। ବେଆଇନ ଭାବେ ଗ୍ୟାସ୍ ମହଜୁଦ ଓ କଳାବଜାରୀ ଚାଲିଥିବା ଖବର ପାଇ ଅଧିକାରୀମାନେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦେଖାଯାଇଥିଲା ଯେ, ବିନା ଲାଇସେନ୍ସରେ ଏଠାରେ ବହୁ ପରିମାଣରେ ଗ୍ୟାସ୍ ସିଲିଣ୍ଡର ମହଜୁଦ ରଖାଯାଇଥିଲା। ୫ କିଲୋ, ୧୨ କିଲୋ ଓ ୧୪ କିଲୋର ଘରୋଇ ଗ୍ୟାସ୍ ଟାଙ୍କି ଏଠାରୁ ଠାବ ହୋଇଛି। ଏହି ସିଲିଣ୍ଡରଗୁଡ଼ିକୁ ବିପଦପୂର୍ଣ୍ଣ ପରିସ୍ଥିତିରେ କାଠଗୋଲା ଭିତରେ ରଖାଯାଇଥିବାରୁ ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ଥିଲା ବୋଲି ଅଧିକାରୀମାନେ କହିଛନ୍ତି। ତଦନ୍ତରୁ ଆଉ ମଧ୍ୟ ଜଣାପଡ଼ିଛି ଯେ, ବିନା ନମ୍ବର ପ୍ଲେଟ୍ ଥିବା ଗାଡ଼ି ମାଧ୍ୟମରେ ଏହି ଗ୍ୟାସ୍ ସିଲିଣ୍ଡରଗୁଡ଼ିକୁ ଚାଲାଣ କରାଯାଉଥିଲା। ଜବତ ସମସ୍ତ ସିଲିଣ୍ଡରକୁ ଯୋଗାଣ ବିଭାଗ ନିଜ ଅଧୀନରେ ନେଇଛି ଓ ଘଟଣାରେ ସମ୍ପୃକ୍ତ ଲୋକମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ, ରାଜ୍ୟର ବିଭିନ୍ନ ସ୍ଥାନରୁ ଘରୋଇ ରନ୍ଧନ ଗ୍ୟାସ୍ ଅଭାବ ନେଇ ଅସନ୍ତୋଷ ବଢ଼ୁଛି। ଜଗତସିଂହପୁରରେ ଲୋକମାନେ ସିଲିଣ୍ଡର ପାଇଁ ରାତିରୁ ଲାଇନରେ ଠିଆ ହୋଇ ରହୁଛନ୍ତି। କିନ୍ତୁ ଯେତିକି ଗ୍ୟାସ୍ ଆସୁଛି, ତାହା ଚାହିଦା ଅନୁସାରେ ଅତ୍ୟନ୍ତ କମ୍। ଫଳରେ ସାଧାରଣ ଲୋକ ଅସୁବିଧାରେ ପଡ଼ୁଛନ୍ତି ଓ କଳାବଜାରୀ ଉପରେ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏହି ପରିସ୍ଥିତିରେ ପ୍ରଶାସନର ଏହି ଚଢ଼ାଉକୁ ସାଧାରଣ ଲୋକ ସ୍ୱାଗତ କରିଥିବାବେଳେ, ଆଗାମୀଦିନରେ ଏହା ଉପରେ ଅଧିକ ନଜର ରହିଛି।
Comments are closed, but trackbacks and pingbacks are open.