ଗାନ୍ଧୀଙ୍କୁ ମହାତ୍ମା କରିଥିଲା ଓଡିଶା : ରାଜ୍ୟପାଳ

29

ଭୁବନେଶ୍ୱର, ୦୪/୦୧- : ମହାତ୍ମା ଗାନ୍ଧୀଙ୍କ ଜୀବନ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଓଡିଶାର ପ୍ରମୁଖ ଅବଦାନ ରହିଥିଲା । ଅଧ୍ୟାତ୍ମିକତା ଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଓଡିଶାର ଅନବଦ୍ୟ ଅବଦାନ ରହିଛି । ଜୟଦେବଭବନରେ ଅନୁଷ୍ଠିତ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ ତ୍ରୟୋଦଶ ଗାନ୍ଧୀ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହା କହିଛନ୍ତି ।

ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ଯେ ଭାରତକୁ ସ୍ୱାଧୀନ କରିବା ସହ ବିଭିନ୍ନ କ୍ଷେତ୍ରରେ କ୍ରାନ୍ତି ଆଣିବାପାଇଁ ଯେଉଁ ମହାପୁରୁଷମାନେ ଅବଦାନ ଦେଇ ଯାଇଛନ୍ତି ସେମାନଙ୍କ ଜୀବନ ଶୃଙ୍ଖଳା, ନୈତିକତା ଓ ଅଧ୍ୟାତ୍ମିକ ଭିତ୍ତିଭୂମିରେ ବିକଶିତ ହୋଇଥିଲା । ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାଜ କିଶୋର ନାୟକଙ୍କ ପର୍ଯ୍ୟନ୍ତ ତ୍ୟାଗୀ ପୁରୁଷମାନଙ୍କ ଜୀବନୀ ବିଶ୍ଲେଷଣ କଲେ ଏହା ଜଣାପଡେ ।

ଏହି ଉତ୍ସବରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ସୁପ୍ରିମକୋର୍ଟର ପ୍ରାକ୍ତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ମହାତ୍ମା ଗାନ୍ଧୀଙ୍କର ଜୀବନର ବିଶ୍ଲେଷଣ କରି ଭାରତୀୟମାନଙ୍କ ମଧ୍ୟରେ ସୁପ୍ତ ସିଂହର ଶକ୍ତି ଜାଗ୍ରତ କରିବାଲାଗି ଗାନ୍ଧୀଜୀ ତିନିଟି ଉପାୟ ଅବଲମ୍ବନ କରିଥିଲେ । ତାହା ହେଉଛି ସତ୍ୟ, ଅହିଂସା ଓ ନିର୍ଭିକତା ।

ପଣ୍ଡିତ ଗୋଦାବରିଶ ମିଶ୍ରଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧୀଜୀ ବାଣପୁର ଆସି ତାଙ୍କ ଘରେ ରାତ୍ରୀଯାପନ କରିବା କଥା ଉଲ୍ଲେଖ କରିବା ସଂଗେ ସଂଗେ ଗାନ୍ଧୀଜୀ କେବଳ ରକ୍ତମାଂସ ଶରୀରଧାରୀ ଜଣେ ସାଧାରଣ ମଣିଷ ନୁହନ୍ତି, ଦୁର୍ଦ୍ଦିନରେ ପଡିଥିବା ଦେଶବାସୀଙ୍କ ପାଇଁ ଜଣେ ଅବତାରୀ ପୁରୁଷ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି ।

ଗାନ୍ଧୀ ବିଚାରର ସର୍ବକାଳୀନ ପ୍ରାସଙ୍ଗିକତା ଶୀର୍ଷକ ଏହି ବକ୍ତୃତାମାଳାରେ ଭିତ୍ତିଭାଷଣ ଉପସ୍ଥାପନ କରି ପ୍ରଫେସର ସଂଘମିତ୍ରା ମିଶ୍ର ପାଟକୁରା ଗାନ୍ଧୀ ଭାବେ ଖ୍ୟାତ ରାଜ କିଶୋର ନାୟକଙ୍କ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ଯେଉଁ ସଂଗ୍ରାମୀମାନଙ୍କ ସାଧନା, ସେବା, ସଙ୍କଳ୍ପ, ସଂଘର୍ଷ ଫଳରେ ଆମେ କଷ୍ଟଲବ୍ଧ ସ୍ୱାଧୀନତାକୁ ଫେରିପାଇଛୁ ସେମାନଙ୍କ ପ୍ରତି ଜାତି ସବୁବେଳେ କୃତଜ୍ଞ ହୋଇ ରହିବ ବୋଲି ଉଲ୍ଲେଖ କରିଥିଲେ ।

ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ପ୍ରାରମ୍ଭିକ ସୂଚନା ଦେଇ ରାଜକିଶୋର ନାୟକଙ୍କ ଜୀବନର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହି ଅବସରରେ ରାଜ କିଶୋର ନାୟକଙ୍କ ପତ୍ନୀ ନିର୍ମଳାପ୍ରଭା ନାୟକଙ୍କ ରଚିତ “ସାୟାହ୍ନର ସ୍ମୃତି” ପୁସ୍ତକର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହି ପୁସ୍ତକ ବିକ୍ରିରୁ ଲବ୍ଧ ଅର୍ଥ ଅସୁରେଶ୍ୱର ସ୍ଥିତ ଗୋରକ୍ଷଣୀକୁ ପ୍ରଦାନ କରାଯିବ ବୋଲି ଉତ୍ସବରେ ଘୋଷଣା ହୋଇଥିଲା ।

Comments are closed, but trackbacks and pingbacks are open.