ଆସନ୍ତାକାଲିଠାରୁ ଚାଲିବନି ବସ!

22

ଆସନ୍ତାକାଲିଠାରୁ ରାଜ୍ୟରେ ଗଡିବ ନାହିଁ ବସ ! ଘରୋଇ ମାଲିକ ସଂଘର ଚେତାବନୀ । ସନ୍ଧ୍ୟା ସୁଦ୍ଧା ଡ୍ରାଇଭରଙ୍କ କବଳରୁ ରାସ୍ତା ମୁକ୍ତ କରାଯାଉ । ନଚେତ୍ ବନ୍ଦ ହେବ ବସ ଚଳାଚଳ । ପୋଲିସ୍‌ର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଲା ବସ୍ ମାଲିକ ସଂଘ । ଡ୍ରାଇଭର ଆନ୍ଦୋଳନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଣି ଫୋଟକା ପରି ମିଳେଇ ଯାଇଛି । ବସ୍ କର୍ମଚାରୀଙ୍କୁ ସୁରକ୍ଷା ଦେଇପାରିଲା ନାହିଁ ପୁଲିସ୍ । ଯେଉଁଥିପାଇଁ ଆନ୍ଦୋଳନକାରୀ ରାଜରାସ୍ତାରେ ଘରୋଇ ବସ୍ ଡ୍ରାଇଭରଙ୍କୁ ମାଡ ମାରିବା ସହ ଦୁର୍ବବ୍ୟବହାର କଲେ । ଆଜି ସଂଧ୍ୟା ସୁଦ୍ଧା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କ୍ଲିଅର ନହେଲେ ଆସନ୍ତାକାଲିଠାରୁ ବସ୍ ଚଳାଚଳ ବନ୍ଦ କରାଯିବ । ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାସ୍ତାରେ ବସ୍ ଛିଡ଼ା କରି ପ୍ରତିବାଦ କରିବୁ ।

ଏହା ପରେ ଯଦି ରାଜ୍ୟ ସରକାର ଆମ ଅଭିଯୋଗ ନଶୁଣନ୍ତି, ତାହା ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ଆନ୍ଦୋଳନ କରିବୁ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ତେବେ ଗତ ଦୁଇ ଦିନ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍‌ସନ୍‌, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ ।

ପୂର୍ବରୁ ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଛି । କିନ୍ତୁ ଫଳପ୍ରଦ ନହେବାରୁ ଗତକାଲିଠାରୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରୁଛି ଡ୍ରାଇଭର ମହାସଂଘ । ତେବେ ୨୦୨୨ ଏପ୍ରିଲ ୧୮ । ୧୦ ଦଫା ଦାବି ନେଇ ରାଜଧାନୀରେ ଆନ୍ଦୋଳନ କରି ଜନଜୀବନକୁ ନାକେଦମ୍ କରିଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ହଜାର ହଜାର ସଂଖ୍ୟାରେ ଡ୍ରାଇଭର ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଥିଲେ ।

Comments are closed, but trackbacks and pingbacks are open.