ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

243

ଭୁବନେଶ୍ବର: ବାରମ୍ବାର ନୋଟିସ ପରେ ଯଦି ବିନା କାଗଜ ପତ୍ରରେ ଗାଡି ରାସ୍ତାରେ ଗଡିବ ତେବେ ଗାଡି ରେଜିଷ୍ଟ୍ରେସନ ବାତିଲ ହେବ। ଏହିପରି ଏକ କଡା ନିଷ୍ପତି ଗ୍ରହଣ କରିଛି ରାଜ୍ୟ ପରିବହନ ଅଥରିଟି ବା ଏସଟିଏ। ଏ ନେଇ ଏସଟିଏ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାସ୍ତାରେ ବିନା କାଗଜ ପତ୍ରରେ ବହୁ ଗାଡି ଚାଲୁଛି। ସେମାନଙ୍କୁ ଧରାଯାଉଛି। ହେଲେ ଜରମାନା ନ ଦେଇ ପୁଣି ରାସ୍ତାରେ ଗାଡି ଚଳାଉଛନ୍ତି। ଯାହାକୁ ନେଇ ଏସଟିଏ ବିରକ୍ତି ପ୍ରକାଶ କରିଛି। ସୂଚନା ଅନୁସାରେ ବିନା କାଗଜପତ୍ରରେ ଗାଡି ଧରାଯିବା ପରେ ଯଦି ମାଲିକ କୌଣସି ଉତ୍ତର ନ ଦିଅନ୍ତି ତେବେ ସେମାନଙ୍କୁ ପୁଣି ନୋଟିସ କରାଯିବ। ଏହିପରି ପାଞ୍ଚ ଥର ଗାଡି ମାଲିକଙ୍କୁ ନୋଟିସ କରାଯିବ। ପାଞ୍ଚଥରରେ ଯଦି ଗାଡିମାଲିକ କୌଣସି ଉତ୍ତର ରଖିଲେ ନାହିଁ କିମ୍ବା ଜରିମାନା ଦେଲେ ନାହିଁ ତେବେ ତାଙ୍କ ଗାଡି ରେଜିଷ୍ଟ୍ରେସନ ବାତିଲ କରାଯିବ। ଫଳରେ ରାସ୍ତାରେ ସେହି ଗାଡି ଆଉ ଗଡିପାରିବ ନାହିଁ। ଏସଟିଏ ର ସୂଚନା ଅନୁସାରେ ଜଣେ ଗାଡି ମାଲିକଙ୍କୁ ବାରମ୍ବାର କହିବା ସତ୍ବେ ସେ କିଛି ନ ଶୁଣିଲେ ଏହି କଡା ପଦକ୍ଷେପ ଗ୍ରହଣ କରାଯିବ। ଏସଟିଏ ତଥ୍ୟ ଅନୁସାରେ ବର୍ତ୍ତମାନ ଏହିପରି 10 ହଜାର ଗାଡି ରାସ୍ତାରେ ଗଡୁଛି। ଏହି ଗାଡି ଗୁଡିକର ଇନସ୍ୟୁରାନ୍ସ ନାହିଁ, ପରମିଟ ନାହିଁ କି ଫିଟନେସ ସାର୍ଟିଫିକେଟ ନାହିଁ। ଏହିସବୁ ଗାଡିର ମାଲିକଙ୍କ ପାଖକୁ ଭେଇକେଲ ଚାଲଣ ରିପୋର୍ଟ ପଠାଗଲାଣି। ପାଞ୍ଚ ଥର ଲେଖାଏ ରିପୋର୍ଟ ପଠାଯିବା ସତ୍ବେ ମାଲିକମାନେ କିଛି ଶୁଣୁ ନାହିଁନ୍ତି। ଫଳରେ ଏହିସବୁ ଗାଡିର ରେଜିଷ୍ଟ୍ରେସନ ବା ପଂଜିକରଣ ବାତିଲ କରିବା ପାଇଁ ନୋଟିସ ପ୍ରଦାନ କରାଯିବ। ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଏସଟିଏ 170 ଟି ଗାଡି ମାଲିକଙ୍କ ପାଖକୁ ପଂଜିକରଣ ବାତିଲ ପାଇଁ ନୋଟିସ ଜାରୀ କରାଯାଇଛି। ଏହାପରେ ପର୍ଯ୍ୟାୟ କ୍ରମେ ସମସ୍ତ 10 ହଜାର ଗାଡି ମାଲିକଙ୍କ ପାଖକୁ ଏହି ନୋଟିସ ଜାରୀ କରାଯିବ। ଗାଡି ରେଜିଷ୍ଟ୍ରେସନ ବାତିଲ ହୋଇଗଲେ ସେହି ଗାଡି ରାସ୍ତାରେ ଆଉ ଚାଲିପାରିବ ନାହିଁ। କୌଣସି ଟୋଲ ଗେଟରେ ଏହି ଗାଡିକୁ ଛଡା ଯିବ ନାହିଁ ବୋଲି ଜଣାପଡିଛି।

Comments are closed, but trackbacks and pingbacks are open.