ଏପ୍ରିଲ୬ରୁ ଆରମ୍ଭ ହେବ ଘର ଘର ଚାଲ ଅଭିଯାନ !

21

ଓବିସିଙ୍କୁ ନ୍ୟାୟ ଓ ନ୍ୟାଯ୍ୟ ଅଧିକାର ପ୍ରଦାନ ଦାବିରେ ବିଜେପି ଓବିସି ମୋର୍ଚ୍ଚା ତରଫରୁ ସର୍ବଦା ଲଢ଼େଇ ଜାରି ରହିଛି । ତେଣୁ ଏପ୍ରିଲ ୬ରେ ବିଜେପି ପ୍ରତିଷ୍ଠା ଦିବସରୁ ଏପ୍ରିଲ ୧୪ରେ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଓବିସି ମୋର୍ଚ୍ଚା ତରଫରୁ ଦେଶବ୍ୟାପୀ ‘ଗାଁ ଗାଁ ଚାଲ; ଘର ଘର ଚାଲ’ ଅଭିଯାନ ଚାଲିବ । ଏଥିରେ ମଧ୍ୟ ଓଡ଼ିଶାର ସମସ୍ତ ଗାଁରେ ଶୋଭାଯାତ୍ରା ହେବ ବୋଲି ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି କ୍ରିଷ୍ଣା ଗୌର କହିଛନ୍ତି । ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଗୌର କହିଛନ୍ତି ଯେ, ଓଡ଼ିଶାରେ ମୋଟ୍ ଜନସଂଖ୍ୟାର ୫୪% ହେଉଛନ୍ତି ପଛୁଆବର୍ଗର ।

ହେଲେ ସେମାନଙ୍କୁ ରାଜ୍ୟ ସରକାର ଶିକ୍ଷା, ନିଯୁକ୍ତି, ସ୍ଥାନୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ସାମ୍ବିଧାନି ଅଧିକାରରୁ ବଞ୍ଚିତ କରିଛନ୍ତି । ଅପରପକ୍ଷେ କେନ୍ଦ୍ର ସରକାରଙ୍କ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ନିଯୁକ୍ତିରେ ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଭଳି ବଡ଼ବଡ଼ ବିଜେପି ଶାସିତ ରାଜ୍ୟରେ ପଛୁଆ ବର୍ଗଙ୍କ ସଂରକ୍ଷଣ ପାଇଁ ନ୍ୟାୟିକ ଲଢ଼େଇ ଲଢ଼ି ସେମାନଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ କରାଯାଇଥିବାବେଳେ ଓଡ଼ିଶା ସରକାର କାହିଁକି ସେପରି କରିନାହାନ୍ତି ବୋଲି ଶ୍ରୀମତୀ ଗୌର ପ୍ରଶ୍ନ କରିଛନ୍ତି । ଏହାସହ କହିଛନ୍ତି ଯେ, ପଛୁଆ ବର୍ଗ କମିସନ ହେଉଛି ଏକ ସାମ୍ବିଧାନିକ ସଂସ୍ଥା । କିନ୍ତୁ ଓଡ଼ିଶାରେ ପଛୁଆ ବର୍ଗ କମିସନଙ୍କୁ କୌଣସି କ୍ଷମତା ଦିଆଯାଇନାହିଁ ।

ଏହି ସଂସ୍ଥାଟି କେବଳ ନାମକୁ ମାତ୍ର ହୋଇଥିବାବେଳେ କମିସନ ଦନ୍ତହୀନ ସଦୃଶ । ଅନ୍ୟ ରାଜ୍ୟରେ ଓବିସି ଗଣନା ଘରକୁ ବୁଲି କରାଯାଉଥିବାବେଳେ ଓଡ଼ିଶାରେ କାହିଁକି କରାଯିବନି ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.