ଅଗଷ୍ଟ ୧୫ରୁ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା: ଶିନ୍ଦେ ସରକାରଙ୍କ ଘୋଷଣା

974

ମୁମ୍ବାଇ : ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଅଗଷ୍ଟ ୧୫ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଡାକ୍ତରଖାନାଗୁଡ଼ିକ ରୋଗୀଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରିବେ ନାହିଁ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତାନଜୀ ସାୱନ୍ତ ଅଗଷ୍ଟ ୩ରେ ଏହା ଘୋଷଣା କରିଥିଲେ। ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା କରାଯିବ ଏବଂ ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ଅଧିକାର ଧାରା ୨୧ ଅଧୀନରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗ୍ରାମୀଣ ଡାକ୍ତରଖାନା, ମହିଳା ଡାକ୍ତରଖାନା, ଜିଲା ସାଧାରଣ ଡାକ୍ତରଖାନା, ଉପ-ଜିଲା ଡାକ୍ତରଖାନା, ସୁପର ସ୍ପେସିଆଲିଟି ହସ୍ପିଟାଲ ଏବଂ କର୍କଟ ଡାକ୍ତରଖାନାରେ ଚିକିତ୍ସା ମାଗଣା ହେବ। ମନ୍ତ୍ରିମଣ୍ଡଳ ବୈଠକରେ ମାଗଣା ଚିକିତ୍ସାର ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସାୱନ୍ତ କହିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ନାଶିକ ଏବଂ ଅମ୍ରାବତୀର କର୍କଟ ଡାକ୍ତରଖାନା ମଧ୍ୟ ମାଗଣା ଚିକିତ୍ସା ଯୋଗାଇ ଦେବ।
ଏହି ମାଗଣା ସୁବିଧା ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ମୋଟ ୨୪୧୮ ଡାକ୍ତରଖାନା ଏବଂ ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ହେବ। ଏହି ଯୋଜନା ଦ୍ୱାରା ୨.୫ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।
ଏହି ଯୋଜନା ମେଡିକାଲ ଶିକ୍ଷା ବିଭାଗ ଅଧୀନରେ ଥିବା କୌଣସି ଡାକ୍ତରଖାନା କିମ୍ବା ମେଡିକାଲ କଲେଜ ପାଇଁ ପ୍ରଯୁଜ୍ୟ ନୁହେଁ।

୨୦୨୦ରେ, କୋଭିଡ -୧୯ ମହାମାରୀ ସମୟରେ ମହାରାଷ୍ଟ୍ର ସରକାର ରାଜ୍ୟବାସୀଙ୍କ ପାଇଁ ଏକ ମାଗଣା ସ୍ବାସ୍ଥ୍ୟ ବୀମା ଯୋଜନା ଘୋଷଣା କରିଥିଲେ। ଏହା କରିବା ଦ୍ୱାରା ମହାରାଷ୍ଟ୍ର ପ୍ରଥମ ରାଜ୍ୟ ଭାବରେ ମାଗଣା ବୀମା କଭର ଯୋଗାଇଥିଲା । ସମସ୍ତ ନାଗରିକଙ୍କୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା ମହାତ୍ମା ଜ୍ୟୋତିବା ଫୁଲେଜନ ଆରୋଗ୍ୟ ଯୋଜନା ଅଧୀନରେ ରଖାଯାଇଛି। ଏହି ଯୋଜନା ପାଇଁ ଆବେଦନ କରିବାକୁ ନାଗରିକମାନଙ୍କର ସେମାନଙ୍କର ରାସନ କାର୍ଡ ଏବଂ ଆବାସିକ ପ୍ରମାଣପତ୍ର ଥିବା ଆବଶ୍ୟକ ।

Comments are closed, but trackbacks and pingbacks are open.