ଲାଞ୍ଚ ପାଇଁ ବାରିପଦା ପୂର୍ବତନ ଓପିଟିସିଏଲ ଡିଜିଏମଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ

28

ଭିଜିଲାନ୍ସ ଜାଲ ରେ ଧରାପଡ଼ି ୫ ବର୍ଷ ପରେ ଜେଲ ଦଣ୍ଡ ପାଇଛନ୍ତି ଜଣେ ସରକାରୀ ବାବୁ I ୨୦୧୭ ମସିହାର ଏକ ଲାଞ୍ଚ ନେବା ମାମଲାର ବିଚାର କରି ସତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ରାୟ ପ୍ରକାଶ ପାଇଛି। ମାତ୍ର ୩ ହଜାର ଟଙ୍କାର ଲାଞ୍ଚ ନେଇ ୫ ବର୍ଷର ଜେଲଦଣ୍ଡ ପାଇଛନ୍ତି ଓପିଟିସିଏଲ୍‌ ଡିଜିଏମ। ଏଥିସହ ତାଙ୍କୁ ୪୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ବାରିପଦାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏପରି ଐତିହାସିକ ରାୟ ଦେଇଛନ୍ତି। କୌଣସି ଭିଜିଲାନ୍ସ ମାମଲାରେ ୫ ବର୍ଷ ଜେଲଦଣ୍ଡ ମିଳିବା ରାଜ୍ୟରେ ସମ୍ଭବତଃ ପ୍ରଥମ ଘଟଣା ବୋଲି ସରକାରୀ ଓକିଲ ସୌରାଜ୍ୟ କୁମାର ରାୟ ସୂଚନା ଦେଇଛନ୍ତି।

ସୂଚନାନୁସାରେ ୨୦୧୭ ମସିହାରେ ଯଶୋବନ୍ତ ନାରାୟଣ ଚୌଧୁରୀ ବାରିପଦା ଓପିଟିସିଏଲର ଡିଜିଏମ୍ ଭାବେ କାମ କରୁଥିଲେ I ସେହି ସମୟରେ ସେହି ସମୟରେ ଅଭିଯୋଗକାରୀ କାର୍ତ୍ତିକେଶ୍ବର ଦତ୍ତଙ୍କ ଏକ ଚାରି ଚକିଆ ଗାଡି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଭଡା ସୂତ୍ରରେ ଲାଗିଥିଲା। ତାଙ୍କର ଦୁଇ ମାସର ଭଡା ଅର୍ଥ ରାଶି ପ୍ରାୟ ୪୮ ହଜାର ଟଙ୍କାର ବିଲ ଦେବା ପାଇଁ ଯଶୋବନ୍ତ ଚୌଧୁରୀ ୫ହଜାର ଟଙ୍କାର ଲାଞ୍ଚ କାର୍ତ୍ତିକେଶ୍ବର ଦତ୍ତଙ୍କୁ ମାଗିଥିଲେ। ଓପିଟିଏସ୍‌ଲରେ ଭଡ଼ାରେ ଲାଗିଥିବା ଗାଡ଼ିର ମାଲିକାନା ପ୍ରକୃତରେ କାର୍ତ୍ତିକେଶ୍ୱରଙ୍କ ଭଉଣୀଙ୍କ ନାଁରେ ରହିଥିଲା। ଭଉଣୀ କର୍କଟ ରୋଗରେ ଆକ୍ରାନ୍ତ ଥିବାରୁ ସେ ଭାଇ କାର୍ତ୍ତିକେଶ୍ୱରଙ୍କୁ ଗାଡ଼ି କଥା ବୁଝିବାକୁ ଅନୁମତି ଦେଇଥିଲେ। ଏଥିପାଇଁ କାର୍ତ୍ତିକେଶ୍ୱର ଓପିଟିସିଏଲ୍‌ରେ ଗାଡ଼ି ଭଡ଼ାରେ ଲଗାଇଥିଲେ।ତେବେ ଶେଷରେ ୫ହଜାର ନୁହେଁ ୩ହଜାର ଟଙ୍କାର ଲାଞ୍ଚ ଅର୍ଥ ନେବେ ବୋଲି ଯଶୋବନ୍ତ ଚୌଧୁରୀ ରାଜି ହୋଇଥିଲେ ।

ପୂର୍ବରୁ ମଧ୍ୟ ଯଶୋବନ୍ତ ଚୌଧୁରୀ ଏହିପରି ହଇରାଣ ହରକତ କରି ବିଲ ପାସ ପାଇଁ ଲାଞ୍ଚ ଅର୍ଥ ନେଉଥିବା ବେଳେ ବିନା ଲାଞ୍ଚରେ କୋଣସି କାର୍ଯ୍ୟ କରୁନଥିଲେ। ତେଣୁକରି ଏ ବାବଦରେ କାର୍ତ୍ତିକେଶ୍ବର ଦତ୍ତ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ୨୫ ଅକ୍ଟୋବର ୨୦୧୭ରେ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଛାରେ ଯଶୋବନ୍ତ ଚୌଧୁରୀ ପଡିଥିଲେ।

ତେବେ ଏହାକୁ ନେଇ ଭିଜିଲାନ୍ସ କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ବରରେ ସେକ୍ସନ ୧ ଓପିଟିସିଏଲ ଡିଜିଏମ ଦାୟିତ୍ୱରେ କାର୍ଯ୍ୟରତ ଅଛନ୍ତି। ଆଜି ଉକ୍ତ ଘଟଣାକୁ ନେଇ ରାୟ ପ୍ରକାଶ ପାଇଛି। ଅଭିଯୋଗକୁ ଭିତ୍ତି କରି ବିଭିନ୍ନ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ୭ ଦଫାରେ ୩ ବର୍ଷ କାରାଦଣ୍ଡ ସହ ୧୫ ହଜାର ଜୋରିମାନା ଅନାଦେୟ ୮ ମାସର ଅଧିକ କାରାଦଣ୍ଡ ଏବଂ ୧୩/୨ ଦଫାରେ ୫ ବର୍ଷ ସହ ୨୫ ହଜାର ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଛି। ଯଦି ସେ ଜୋରିମାନା ଅର୍ଥ ପୈଠ ନ କରିପାରିବେ, ତା’ହେଲେ ତାଙ୍କୁ ଆଉ ଗୋଟିଏ ଅତିରିକ୍ତ ବର୍ଷ ଜେଲରେ ରହିବାକୁ ପଡ଼ିବ। ଆଜି କୋର୍ଟ ରାୟ ଶୁଣାଇବା ପରେ ତାଙ୍କୁ ବାରିପଦା କାରାଗାରକୁ ପଠାଇ ଦିଆଯାଇଛି। ତେବେ ଏହା ଭିଜିଲାନ୍ସ କୋର୍ଟ ଦ୍ଵାରା ଏକ ଐତିହାସିକ ରାୟ ବୋଲି କହିଛନ୍ତି ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ସୌରାଜ୍ୟ କୁମାର ରାୟ।

Comments are closed, but trackbacks and pingbacks are open.