ଭୁବନେଶ୍ୱର: କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ଆୟୁବ ଖାନଙ୍କର ଆଜି ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ସହ ସଂଗ୍ରାମ କରିବା ପରେ, ଆଜି ସକାଳ ପ୍ରାୟ ୮ଟା ୩୦ ମିନିଟରେ ସେ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା ଭାବେ ଶ୍ରୀ ଖାନ ୨୦୦୯ ମସିହାରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ତେବେ ୨୦୧୪ ମସିହା ନିର୍ବାଚନରେ ସେ କଣ୍ଟାବାଞ୍ଜି ଆସନରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ନିଜ ଅଞ୍ଚଳରେ ଜଣେ ଜନପ୍ରିୟ ନେତା ଭାବେ ତାଙ୍କର ବେଶ୍ ପରିଚିତି ରହିଥିଲା। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ପୂର୍ବତନ ବିଧାୟକଙ୍କ ପରଲୋକରେ ଦୁଃଖ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ପ୍ରଦାନ କରିବାକୁ ପ୍ରାର୍ଥନା କରିଛନ୍ତି।
Comments are closed, but trackbacks and pingbacks are open.