ପ୍ରାକ୍ତନ ମତ୍ସ୍ୟ, ପଶୁସମ୍ପଦ ଓ ବୟନଶିଳ୍ପ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ବିୟୋଗ

17

ଭୁବନେଶ୍ବର: ପ୍ରାକ୍ତନ ମତ୍ସ୍ୟ, ପଶୁସମ୍ପଦ ଓ ବୟନଶିଳ୍ପ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଗୋଲକ ବିହାରୀ ନାଏକଙ୍କର ବୁଧବାର ପରଲୋକ ହୋଇଯାଇଛି । ସେ ଗତ ୫ ବର୍ଷ ଧରି କିଡ୍‌ନୀ ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ନିୟମିତ ବ୍ୟବଧାନରେ ତାଙ୍କର ଡାଏଲିସିସ୍ କାର୍ଯ୍ୟ ଚାଲୁରହିଥିଲା । ବୁଧବାର ସକାଳେ ସେ ତାଙ୍କର ବଡ଼ ଝିଅ ଡ. ମଧୁମିତା ନାଏକଙ୍କ ସହିତ ମୋଟରକାର୍ ଯୋଗେ ବେତନଟୀସ୍ଥିତ ବାସଭବନରୁ ବାରିପଦା ଆସିଥିଲେ । ଡ. ନାଏକ ବାରିପଦା ଡାକ୍ତରଖାନାରେ କାର୍ଯ୍ୟରତା ଥିବାବେଳେ ସେ ତାଙ୍କୁ ଛାଡ଼ି ଏକ ଘରୋଇ ଡାକ୍ତରଖାନାକୁ ଡାଏଲିସିସ ପାଇଁ ଯାଉଥିବା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କଲେ । ସେ ଗାଡ଼ିରୁ ଓହ୍ଲାଇବା ସମୟରେ ତଳେ ପଡିଯାଇଥିଲେ । ଡ୍ରାଇଭର ଓ ଅନ୍ୟ ସହଯୋଗୀଙ୍କ ଦ୍ୱାରା ତାଙ୍କୁ ଉଠାଇ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କାର୍ଯ୍ୟରତ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଦିବା ୧୦ଟାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବରପାଇ ବାରିପଦାର ବିଶିଷ୍ଠ ନାଗରିକ ତଥା ରାଜନେତାମାନେ ଉପସ୍ଥିତ ହୋଇଥିଲେ । ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ସ୍ୱର୍ଗତ ନାଏକଙ୍କର ମୃତ୍ୟୁରେ ଗଭୀର ମର୍ମାହତ ବୋଲି ବର୍ଣ୍ଣନା କରି ମୟୂରଭଞ୍ଜ ମାଟି ଏକ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି କହିଥିଲେ । ଅନ୍ୟ ତୁଙ୍ଗ ନେତାମାନଙ୍କ ମଧ୍ୟରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସମେତ ଅନ୍ୟମାନେ ଶେଷଦର୍ଶନ କରିଥିଲେ । ସ୍ୱର୍ଗତ ନାଏକ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟକରି ଚାକିର ଛାଡ଼ି ରାଜନୀତି ଜୀବନ ଆରମ୍ଭ କରି ୨୦୦୦ ମସିହାରେ ଖୁଣ୍ଟା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳର ମିଳିତ ପ୍ରାର୍ଥୀଭାବେ ନିର୍ବାଚନ ଲଢି ବିଜୟୀ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ମନ୍ତ୍ରୀମଣ୍ଡଳରେ ସେ ପ୍ରଥମେ ସାଧାରଣ ଅଭିଯୋଗ ଓ ପେନ୍‌ସନ୍ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୦୦-୦୪ ଓ ୨୦୦୪-୦୯ ଦୁଇଥର ବିଜେପି ଟିକେଟରୁ ବିଧାୟକଭାବେ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ସେ ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇ ୨୦୧୪-୧୯ ପର୍ଯ୍ୟନ୍ତ ଉଦଳା ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ନିର୍ବାଚନ ନ ଲଢି ରାଜନୀତିରୁ ଅବସର ଘୋଷଣା କରିଥିଲେ । ସେ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ସୁବାସିନୀ ନାଏକଙ୍କୁ ଚାକିରିରୁ ଆଗୁଆ ଅବସର ଗ୍ରହଣ କରାଇ ଗତ ତ୍ରିସ୍ତରୀୟ ପଞ୍ଜାୟତ ନିର୍ବାଚନରେ ବଡସାହି ବ୍ଲକ୍ ୨୩ ନଂ ଜୋନରୁ ଜିଲ୍ଲା ପରିଷଦ ସଭ୍ୟାଭାବେ ନିର୍ବାଚିତ କରାଇଛନ୍ତି । ମରଶରୀର ଆମ୍ବଯୋଡା ଗ୍ରାମକୁ ନେବା ପରେ ତାଙ୍କ ଜନ୍ମଭୂମି ଶିଆଳିଘାଟୀ ଗ୍ରାମପଞ୍ଚାୟତର ବୁଢେଇରଣାଠରେ ପହଞ୍ଚିଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ନିଜ ପୈତୃକ ଜମିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଅଛି । ତାଙ୍କର ଏକମାତ୍ର ପୁତ୍ର ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଯୋଗାଣ ନିରୀକ୍ଷକ ବିଷ୍ଣୁନାରାୟଣ ନାଏକ ମୁଖାଗ୍ନି ଦେଇଥିଲେ । ପତ୍ନୀ ସହିତ ଦୁଇ କନ୍ୟା ନିବେଦିତା ଓ ମଧୁମିିତା ତଥା ଜ୍ୱାଇଁ ଡ. ଅମିତ୍ ମଧ୍ୟ ଉପସ୍ଥିତଥିଲେ । ତାଙ୍କ ପରଲୋକ ସମ୍ବାଦ ପାଇ ବେତନଟୀର ବରିଷ୍ଠ ନାଗରିକ ସଂଘର ସଭାପତି ହିମାଂଶୁ କୁମାର ପରିଡା, ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକ, ସିଭିଲ ସୋସାଇଟିର ସଚ୍ଚିଦାନନ୍ଦ ମହାନ୍ତି, ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ଅଜୟ କୁମାର କର ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.