ଜୟପୁର: ରାଜସ୍ଥାନର ଭରତପୁରରେ ବିଜେପିର ଜଣେ ପୂର୍ବତନ ବିଧାୟକ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଥାଉ ଯେ, ଅକ୍ଟୋବର ୧୧ ତାରିଖ ସନ୍ଧ୍ୟା ପ୍ରାୟ ୬:୩୦ ସମୟରେ ୱେର୍ ଥାନା ଅଞ୍ଚଳ ଅନ୍ତର୍ଗତ ଭୌଣ୍ଡା ଗ୍ରାମରେ କ୍ରସର୍ ପ୍ଲାଣ୍ଟ ପୁନର୍ବାର ଚାଲୁ ହେବାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପ୍ରାୟ ଏକ ବର୍ଷ ଧରି ବନ୍ଦ ରହିଥିବା ଏହି କ୍ରସର୍ ପ୍ଲାଣ୍ଟକୁ ପୁନର୍ବାର ଚାଲୁ କରିବା ପାଇଁ ଉଦ୍ୟମ କରାଯାଉଥିଲା। ଏହି ସମୟରେ ଗ୍ରାମବାସୀ ଭଡାନା ଓ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଭଡାନା ଓ ତାଙ୍କ ସହଯୋଗୀ ଗଗନ ଶର୍ମା ଗୁରୁତର ହୋଇପଡ଼ିଥିଲେ । ଉଭୟଙ୍କୁ ପ୍ରଥମେ ୱେର୍ ସବ୍ ଡିଭିଜନ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ସେମାନଙ୍କୁ ଭରତପୁରକୁ ସ୍ଥାନାନ୍ତର କରାଯାଇଥିଲା। ଜୟପୁରସ୍ଥିତ ଏସ୍ଏମ୍ଏସ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଭଡାନାଙ୍କ ମୃତ୍ୟୁ ଘଟିଥିଲା। ପୂର୍ବତନ ବିଧାୟକଙ୍କ ପତ୍ନୀ କମଲେଶ ଏହି ଘଟଣାରେ ପୋଲିସ ଓ ପ୍ରଶାସନ ଉପରେ ଅବହେଳାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ କ୍ରସର୍ ୟୁନିଟ୍ର ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା, ୱାଟର ପମ୍ପକୁ ଅଚଳ କରିଦିଆଯାଇଥିଲା ଏବଂ ଲିଜ୍ ସହ ଜଡ଼ିତ ଲୋକମାନଙ୍କୁ ଉକ୍ତ ସ୍ଥାନରୁ ତଡ଼ି ଦିଆଯାଉଥିଲା। ଏହି ଘଟଣାଗୁଡ଼ିକ ବିଷୟରେ ପୋଲିସ ଓ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିଲା। ଥାନା ଅଧିକାରୀ କହିଛନ୍ତି ଯେ ଉଭୟ ପକ୍ଷରୁ କେହି ବି ଏହି ଘଟଣା ସମ୍ପର୍କରେ ପୋଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ଦାୟର କରିନାହାନ୍ତି। ପୂର୍ବତନ ବିଧାୟକଙ୍କ ମୃତ୍ୟୁ ପରେ ପରିସ୍ଥିତି ଗମ୍ଭୀର ରହିଛି ।
Comments are closed, but trackbacks and pingbacks are open.