ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହେବ ଫର୍ମ ବିତରଣ ପକ୍ରିୟା

176

ଭୁବନେଶ୍ୱର: ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ଏଥି ନିମନ୍ତେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇସାରିଛି। ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଊଦ୍ଧ୍ୱର୍ ମହିଳା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରତିଭା ପରିଡ଼ା କହିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି। ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଆଜିଠାରୁ ଏହି ଫର୍ମ ଉପଲବ୍ଧ ହେବା ସହ ଆସନ୍ତାକାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ। ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ। ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିପାରିବେ। ‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାମରେ ଆଧାର କାର୍ଡ/ନମ୍ବର ଥିବା ଏକାନ୍ତ ଆବଶ୍ୟକ । ଏହା ସହ ଆଧାର କାର୍ଡ ସହିତ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ (କେବଳ ନିଜ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ) ସଂଯୋଗ ହୋଇଥିବା ଜରୁରୀ। ଏହି ବ୍ୟାଙ୍କ ଆକାଉଣ୍ଟଟି ଚାଲୁ ରହିଥିବା ଏବଂ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ଆବଶ୍ୟକ । ହିତାଧିକାରୀଙ୍କ ମୋବାଇଲ୍‌ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍‌ ହୋଇଥିବା ଆବଶ୍ୟକ। ଏହି ଯୋଜନା ନେଇ କୌଣସି ଭ୍ରମିତ ଖବର ଦ୍ୱାରା ପ୍ରଭାବିତ ନହେବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed, but trackbacks and pingbacks are open.